ଶିବପାଲଙ୍କୁ ରାଜ୍ୟସଭା ପଠାଇପାରେ ବିଜେପି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା
ପ୍ରଗତିଶୀଳ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପାଲ ଯାଦବ ନିଜର ଭିନ୍ନ ଏକ ରାଜନୈତିକ ବାଟ ଖୋଜି ନେଇଛନ୍ତି। ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବିଜେପିର ଶୀର୍ଷ ନେତାଙ୍କୁ ଓ ପୁଣି ଯୋଗୀଙ୍କୁ ସାକ୍ଷାତ ପରେ ଶିବପାଲ ରାଜ୍ୟସଭା ଯିବାର ପ୍ରାୟ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ରାଜ୍ୟସଭା ପଠାଯିବା ନେଇ ସବୁଜ ସଙ୍କେତ ମିଳି ସାରିଛି। ଦୁଇ ଦିନ ପୂର୍ବେ ସେ ଦିଲ୍ଲୀ ଗସ୍ତରେ ଥାଇ ଦଳର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଏହାପରେ ଲକ୍ଷ୍ନୌ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷତ କରିଥିଲେ।
ଉତ୍ତର ପ୍ରଦେଶରେ ଜୁଲାଇ ମାସରେ ରାଜ୍ୟସଭାର ୧୧ଟି ଆସନ ଖାଲି ହେଉଛି। ଏଥିରେ ୭ ରୁ ୮ଟି ଆସନରେ ବିଜେପିର ଜିତିବା ସୁନିଶ୍ଚିତ। ଶିବପାଲ ସିଂହ ଯାଦବ ଏବେ ବିଜେପିର ସାହାଯ୍ୟରେ ରାଜ୍ୟସଭା ଯାଇ ପାରନ୍ତି। ଏହା ସହିତ ଜସୱନ୍ତନଗର ଆସନରୁ ଶିବପାଲ ନିଜ ପୁଅ ଆଦିତ୍ୟ ଯାଦବଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇ ପାରନ୍ତି।
ବିଜେପିର ଚେଷ୍ଟା ଯେ, ଜସୱନ୍ତନଗର ଆସନ ରେ କେବଳ ଦଳ ହିଁ ଜିତୁ। ସମାଜବାଦୀ ପାର୍ଟି ଯେଉଁଭଳି ଭାବରେ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଛି, ତାକୁ ଦେଖି ବିଜେପି ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ କରିଦେଇଛି। ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟିର କୋର ଭୋଟ ବ୍ୟାଙ୍କ ଯାଦବ ଗୋଷ୍ଠୀ ନିକଟରେ ଛଡାଇ ଆଣିବାକୁ ବିଜେପି ଏବେ ଶିବପାଲ ଯାଦବଙ୍କୁ ରାଜ୍ୟସଭା ପଠାଇ କେନ୍ଦ୍ରମନ୍ତ୍ରୀ କରିବାର ଚେଷ୍ଟା କରିପାରେ।
ଉଲ୍ଲେଖନୀୟ ଯେ, ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମୁଲାୟମ ସିଂହ ଯାଦବଙ୍କ କଥା ରଖି ଶିବପାଲ ଯାଦବ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲେ। ଶିବପାଲ ନିଜର ନେତା ଅଖିଳେଶଙ୍କ କଥା ମାନି ନିଜ ଦଳକୁ ବଳିଦାନ ଦେବାକୁ ପଛାଇ ନଥିଲେ। କିନ୍ତୁ ଶିବପାଲଙ୍କୁ ପରେ ବିଧାନସଭା ନିର୍ବାଚନ ପାଇଁ ଟିକେଟ କିମ୍ବା ଟିକେ ବି ସମ୍ମାନ ମିଳିନଥିଲା। ସେଭଳି ତାଙ୍କୁ ଆଉ ଏକ ଝଟକା ଲାଗିଥିଲା ଯେତେବେଳେ ସମାଜବାଦୀ ପାର୍ଟି ଶିବପାଲଙ୍କୁ ନିଜର ବିଧାୟକ ନୁହନ୍ତି ବୋଲି କହିଥିଲା। ତାଙ୍କୁ ବିଧାୟକ ଦଳର ବୈଠକକୁ ଡାକିନଥିଲେ। ଏଥିରେ ରାଗି ଶିବପାଲ ଇଟଓ୍ବା ଓ ପରେ ଦିଲ୍ଲୀ ଚାଲିଯାଇଥିଲେ। ଏହାପରେ ବିଜେପି ସହ କଥାବାର୍ତ୍ତାର ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏବେ ଶିବପାଲଙ୍କୁ ବିଜେପି ରାଜ୍ୟସଭା ପଠାଇବ ବୋଲି ଚର୍ଚ୍ଚା ହେଉଛି।
Comments are closed.