ନୀତିଶ କୁମାରଙ୍କ ଇସ୍ତଫା ପରେ ବିଜେପିକୁ ମିଳିପାରେ ପ୍ରଥମ ମୁଖ୍ୟମନ୍ତ୍ରୀ
ପାଟଣା: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରେ ଖୁବ୍ ଶୀଘ୍ର ନେତୃତ୍ୱ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ନେତା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ଏହି ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି। ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ବିପୁଳ ବିଜୟ ଦେବାର କିଛି ମାସ ପରେ ତାଙ୍କର ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ପଦରୁ ଓହରିବାର ସଙ୍କେତ ଦେଉଛି।
ବିହାରର ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତୀଶ କୁମାର, ନଭେମ୍ବର ୨୦ ତାରିଖରେ ପାଟଣାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରେକର୍ଡ ୧୦ମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଏହାର ମାତ୍ର ଚାରି ମାସ ପରେ ଏହି ନୂଆ ଘଟଣାକ୍ରମ ସାମ୍ନାକୁ ଆସିଛି।
ତାଙ୍କର ରାଜ୍ୟସଭା ଯିବା ନିଷ୍ପତ୍ତି ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଏବଂ ଅନେକ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଯଦି ଏହି ପରିବର୍ତ୍ତନ ହୁଏ, ତେବେ ବିହାରରେ ପ୍ରଥମ ଥର ପାଇଁ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ଏକମାତ୍ର ରାଜ୍ୟ ଥିଲା ଯେଉଁଠାରେ ଏପର୍ଯ୍ୟନ୍ତ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ହୋଇନଥିଲେ।
ଅନ୍ୟପକ୍ଷରେ, ରିପୋର୍ଟ ଅନୁଯାୟୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଖୁବ୍ ଶୀଘ୍ର ରାଜନୀତିରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିପାରନ୍ତି ଏବଂ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ବିହାର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହା ତାଙ୍କର ସକ୍ରିୟ ରାଜନୀତିରେ ପ୍ରଥମ ପାଦ ହେବ। ବରିଷ୍ଠ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ନେତା ଶ୍ରବଣ କୁମାର ନିକଟରେ ସ୍ପଷ୍ଟ କରିଛନ୍ତି ଯେ ନିଶାନ୍ତ କୁମାର ଖୁବ୍ ଶୀଘ୍ର ଜେଡିୟୁରେ ଯୋଗଦେବେ। ସେ କହିଛନ୍ତି ଯେ ସାରା ରାଜ୍ୟରେ ଦଳୀୟ କର୍ମୀ ଏବଂ ଯୁବ ସମର୍ଥକମାନେ ଦୀର୍ଘ ଦିନ ଧରି ଏହାକୁ ଅପେକ୍ଷା କରିଥିଲେ।
Comments are closed.