ରାଜ୍ୟସଭା ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେଡି

Share It

ସିଗ୍‌ନାଲ ଦିଆଯାଇ ସାରିଲାଣି । ନାମାଙ୍କନ ପାଇଁ ତୁରନ୍ତ ଆବଶ୍ୟକ କାଗଜପତ୍ର, ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏମିତିକି ପ୍ରସ୍ତାବକ ଓ ସମର୍ଥକ ହେବାକୁ ବିଧାୟକଙ୍କୁ ଡାକରା ଦିଆଯାଇଛି । କେତେକ ନାମାଙ୍କନ ଫର୍ମରେ ପ୍ରସ୍ତାବକ, ସମର୍ଥକ ଦସ୍ତଖତ ବି କରିସାରିଛନ୍ତି । କେବଳ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି । ଯେ କୌଣସି ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ ନବୀନ । ଏଥିପାଇଁ ସମସ୍ତ ଆଶାୟୀଙ୍କ ସହ ପୂରା ଓଡ଼ିଶା ରାଜନୀତି ଅନେଇ ବସିଛି ନବୀନ ନିବାସକୁ ।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୩ଟି ଯାକ ପୂର୍ଣ୍ଣକାଳୀନ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେଡି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ବାଛି ସାରିଛନ୍ତି । ହେଲେ ନବୀନ କାହାକୁ ଦିଲ୍ଲୀ ପଠାଇବେ, ସେ କଥା ସସ୍‌ପେନ୍ସ ରଖାଯାଇଛି । କେବଳ ନବୀନ ହିଁ ଜାଣିଛନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ପ୍ରଥମ ୩ ଆସନରୁ ଅନ୍ୟୁନ ଗୋଟିଏ ଆସନରେ ଜଣେ ମହିଳା ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ । ରାଜ୍ୟସଭା ଆସନକୁ ନେଇ ଉଦ୍ୟୋଗୀ ତଥା ମୋ’ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କ ନାଁ ଢେର ଦିନ ହେବ ଚର୍ଚ୍ଚା ହେଉଥିବାବେଳେ ସେ ଏବେ ୟୁରୋପ ଗସ୍ତରେ ଥିବା ଜଣାପଡ଼ିଛି । ଏମିତିକି ସେ ଶୀଘ୍ର ଫେରିବା ସମ୍ଭାବନା କମ୍‌ ବୋଲି ଶୁଣିବାକୁ ମିଳିଛି । ଏହାବାଦ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ରାସେଶ୍ୱରୀ ପାଣିଗ୍ରାହୀ, ସୁଲତା ଦେଓ ବି ଚର୍ଚ୍ଚାରେ ଅଛନ୍ତି । ଏସବୁ ଚର୍ଚ୍ଚା ବାଦ୍‌ ତୃଣମୂଳସ୍ତରରେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା କୌଣସି ସାଧାରଣ ମହିଳାଙ୍କୁ ନବୀନ ରାଜ୍ୟସଭା ପଠାଇ ସଭିଙ୍କୁ ଚକମା ଦେଇପାରନ୍ତି ।

ବାକି ୨ ଆସନ ନେଇ ବି ଅନେକ ନେତା, ପ୍ରତିଷ୍ଠିତ ବ୍ୟକ୍ତି, ଶିଳ୍ପପତି ଓ ସମାଜସେବୀଙ୍କ ନାଁ ଚର୍ଚ୍ଚାରେ ଅଛି । ଏପଟେ ଶୁକ୍ରବାର ନବୀନ ନିବାସରୁ ଦଳର ଅନେକ ନେତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଛି । ବହୁ ବିଧାୟକଙ୍କୁ ତୁରନ୍ତ ଭୁବନେଶ୍ୱର ଆସି ପହଞ୍ଚିବାକୁ କୁହାଯାଇଛି । ସେମାନେ ରାଜ୍ୟସଭା ପ୍ରାର୍ଥୀଙ୍କ ପାଇଁ ସମର୍ଥକ, ପ୍ରସ୍ତାବକ ରହିବେ । ଏମିତିକି ଫର୍ମରେ କେତେକ ସମର୍ଥକ, ପ୍ରସ୍ତାବକ ଦସ୍ତଖତ କରିସାରିଛନ୍ତି । ହେଲେ ସେମାନେ ବି ପ୍ରାର୍ଥୀଙ୍କ ବାବଦରେ ସ୍ପଷ୍ଟ ସଙ୍କେତ ପାଇନାହାନ୍ତି ।

ବର୍ତ୍ତମାନ ସୁଦ୍ଧା ୪ ପ୍ରାର୍ଥୀଙ୍କ ପାଇଁ ମୋଟ ୧୬ ସେଟ ଫର୍ମ ନେଇସାରିଲାଣି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନା ଏ ଫର୍ମ ଆଣିଛନ୍ତି । ତାଙ୍କୁ ବି ଏହାଠାରୁ ଅଧିକ କିଛି ଜଣାନାହିଁ । ପ୍ରଥମ ୩ ଆସନ ପାଇଁ ୩୧ରେ ନାମାଙ୍କନ ଦାଖଲ ସରିବ । ଉପନିର୍ବାଚନ ହେବାକୁ ଥିବା ଆସନର ନାମାଙ୍କନ ସରିବ ଜୁନ୍‌ ୨ରେ । ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ଥୟ । ଏମିତିକି ନିର୍ବାଚନ ହେବା ଭଳି ସ୍ଥିତି ଉପୁଜିନପାରେ । ମାତ୍ର ୨୦୨୪ ପୂର୍ବରୁ ବିଜେଡି ଏବେଠାରୁ ପ୍ରସ୍ତୁତ ହେଉଥିବାରୁ ଦଳ ମାପିଚୁପି ବାଟ ଚାଲୁଛି ।


Share It

Comments are closed.