କରୋନାରେ ଆଖି ବୁଜିଲେ ଅଭିନେତା ବିକ୍ରମଜିତ କନୱାରପାଲ
କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଅଭିନେତା ବିକ୍ରମଜିତ କନୱାରପାଲଙ୍କ ଶନିବାର ଦେହାନ୍ତ ହୋଇଛି । ୫୨ ବର୍ଷ ବୟସରେ ବିକ୍ରମଜିତ୍ଙ୍କ ପରଲୋକ ହୋଇଛି । ସେ ସେନାରୁ ଅବସର ନେଇଥିଲେ ଏବଂ ୨୦୦୩ ରୁ ମନୋରଞ୍ଜନ ଜଗତରେ ଜଡିତ ଥିଲେ । ସେ ଅନେକ ସୁପରହିଟ୍ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ବିକ୍ରମଜିତଙ୍କ ଦେହାନ୍ତ ଖବର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଅଶୋକ ପଣ୍ଡିତ ତାଙ୍କ ଟୁଇଟ୍ରେ ଲେଖିଛନ୍ତି, ‘ଆଜି ସକାଳେ କୋଭିଡ କାରଣରୁ ଅଭିନେତା ମେଜର ବିକ୍ରମଜିତ କନୱାରପାଲଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ ଦୁଖଦାୟକ । ଅବସରପ୍ରାପ୍ତ ସେନା ଅଧିକାରୀ କନୱାରପାଲ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ସପୋର୍ଟିଙ୍ଗ ରୋଲ ଗ୍ରହଣ କରିଛନ୍ତି । ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ମୋର ସମବେଦନା । ଅନେକ ପ୍ରଶଂସକ ଅଶୋକଙ୍କ ଟ୍ୱିଟରେ ବିକ୍ରମଜିତଙ୍କୁ ମଧ୍ୟ ସାନ୍ତ୍ୱନା ଦେଇଛନ୍ତି ।
ନିକଟରେ ବିକ୍ରମଜିତ ଡିସ୍ନି ପ୍ଲସ୍ ହଟଷ୍ଟାରର ୱେବ୍ ସିରିଜ୍ ସ୍ପେସିଆଲ୍ ଓପ୍ସରେ କାମ କରୁଥିବା ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶର ବିକ୍ରମଜିତ୍ ଅନେକ କିମ୍ବଦନ୍ତୀ ତାରକାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ତାଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ଟିଭି ଶୋ ବିଷୟରେ କହିବାକୁ ଗଲେ ବିକ୍ରମଜିତ୍ 24, ସିୟାସତ, ଦିଲ୍ ହୈ ତୋ ହୈ, ଦିୟା ଔର୍ ବାତି ହମ୍ ଏବଂ ନମକ ହରାମ ଭଳି ଶୋ’ରେ କାମ କରିଥିଲେ ।
ଏବଂ ବଡ ପରଦା କଥା କହିବା ତ ବିକ୍ରମଜିତ୍ କନୱାରପାଲ ମର୍ଡର ୨, ଡେନ୍ଜରସ ଇଶ୍କ,, ହେ ବେବି, ଶୌର୍ଯ୍ୟ, ଆରକ୍ଷଣ, ଜନଜିର, ହାଇଜାକ୍, ରକେଟ୍ ସିଂ, ଜବ୍ ତକ୍ ହୈ ଜାନ ଏବଂ ଗାଜୀ ଆଟାକ୍ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଅଭିନୟ ଜଗତରେ କାମ କରିବା ବିକ୍ରମଜିତଙ୍କ ସ୍ୱପ୍ନ ଥିଲା, ସେଥିପାଇଁ ସେନାରୁ ଅବସର ପରେ ସେ ସିଧାସଳଖ ଚଳଚ୍ଚିତ୍ର ଏବଂ ଟିଭି ଦୁନିଆକୁ ଆସିଥିଲେ।
Comments are closed.