ବାଇଡେନଙ୍କ ବଡ଼ ନିଷ୍ପତ୍ତି, ଗୋପନୀୟ ସୂଚୀରୁ ହଟିବ ୯/୧୧ ଆକ୍ରମଣ ସମ୍ପର୍କିତ ନଥିପତ୍ର
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୧ ସେପ୍ଟେମ୍ବର ୨୦୦୧ (୯/୧୧) ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ କେତେକ ଡକ୍ୟୁମେଣ୍ଟକୁ ଗୋପନୀୟ ସୂଚୀରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଘଟଣାରେ ପୀଡ଼ିତ ପରିବାରଙ୍କ ଲାଗି ସହାୟକ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି। ଆଗାମୀ ସେପ୍ଟେମ୍ବର ୧୧ ତାରିଖରେ ୯/୧୧ ଘଟଣାକୁ ୨୦ ବର୍ଷ ପୂରଣ ହେବ। ଏହାର ଠିକ ସପ୍ତାହକ ପୂର୍ବରୁ ବାଇଡେନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ୯/୧୧ ସନ୍ଦର୍ଭରେ ଲୋକେ ସାଉଦୀ ସରକାରଙ୍କ ବିରୋଧରେ ସେମାନଙ୍କ ଅଭିଯୋଗ ଲାଗି ରେକର୍ଡ ଦାବି କରୁଛନ୍ତି। ଏଥିରେ ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏହି ତଥ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ସବୁ ଡକ୍ୟୁମେଣ୍ଟ ଲାଗି ପୀଡିତ ପରିବାରମାନେ ଦୀର୍ଘ ବର୍ଷରୁ ଦାବି କରିଆସୁଥିଲେ। ଏଥିପାଇଁ ସରକାର ଓ ପୀଡ଼ିତ ପରିବାର ମୁହାଁମୁହିଁ ଅବସ୍ଥାକୁ ମଧ୍ୟ ଆସିଯାଇଥିଲେ। ତେବେ ଶୁକ୍ରବାର ରାଷ୍ଟ୍ରପତି ଏହି ସବୁ କାଗଜପତ୍ରକୁ ଗୋପନୀୟ ସୂଚୀରୁ ହଟାଇବାକୁ ନିର୍ଦ୍ଦେଶ ଦେବା ସହ ଦେଶରେ ଏହି ବର୍ଗର ଲୋକଙ୍କ ସହ ସମ୍ମାନ ପୂର୍ବକ ସରକାରଙ୍କ ସମ୍ପୃକ୍ତି ଜାରି ରହିବ ବୋଲି କହିଛନ୍ତି।
ସରକାର ଆଦେଶରେ କହିଛନ୍ତି ଯେ ଦୁଇ ଦଶକ ପୂର୍ବର ଏହି ଘଟଣା ଆମେରିକୀୟଙ୍କ ସ୍ମୃତିରେ ଆଜି ବି ଜୀବନ୍ତ ରହିଛି। ଏଣୁ ପ୍ରସଙ୍ଗରେ ପାରଦର୍ଶିତା ରକ୍ଷା ଲାଗି ସରକାର ସମ୍ବଦ୍ଧିତ କାଗଜପତ୍ରକୁ ଗୋପନୀୟତା ସୂଚୀରୁ ବାହାର କରିଦେଇଛନ୍ତି। ସରକାରଙ୍କ ଏହି ଆଦେଶ ପରେ ଦେଶର ନ୍ୟାୟ ବିଭାଗ ଓ ଅନ୍ୟ କାର୍ଯ୍ୟକାରୀ ଶାଖା ଏଜେନ୍ସୀମାନେ କେଉଁ ସବୁ ରେକର୍ଡ ଗୋପନୀୟତା ସୂଚୀରୁ ଏବେ ବାହରେ ରହିବ ତାର ସମୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି। ଯେଉଁ କଗଜପତ୍ର ସବୁ ଏବେ ଅବର୍ଗିକୃତ ହେବ ସେ ସବୁକୁ ଆଗାମୀ ୬ ମାସ ମଧ୍ୟରେ ଜାରି କରାଯିବ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ନ୍ୟୁୟର୍କ ଫେଡେରାଲ କୋର୍ଟରେ ବିଚାରଧୀନ ଏକ ମାମଲା ଘଟଣା ଲାଗି ସଉଦୀ ଆରବ ସରକାର ଓ ଅଧିକାରୀମାନଙ୍କୁ ଦାୟି କରୁଛି। ବିମାନ ଅପହରଣକର୍ତ୍ତାମାନଙ୍କୁ ସାଉଦୀ ଆରବ ସରକାର ଓ ତାଙ୍କ ଅଧିକାରୀମାନେ ସହାୟତା କରିଥିବାର ଏଥିରେ ଅଭିଯୋଗ କରାଯାଇଥିଲା। ତେବେ ଏ ସମ୍ପର୍କିତ ଯାଞ୍ଚର ତଥ୍ୟ ଗୋପନୀୟତା ସୂଚୀରେ ଥିବାରୁ ସରକାର ଏହା କୋର୍ଟଙ୍କୁ ଉପଲବ୍ଧ କରିପାରୁନଥିଲେ।
Comments are closed.