ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣ
ଭୁବନେଶ୍ବର :ଆସନ୍ତା ଜୁନ୍ ୬ ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର (ବିଏଫ୍ଏଫ୍) ଦ୍ୱିତୀୟ ସଂସ୍କରଣ। ଚାରିଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଜୁନ୍ ୬ ତାରିଖ ସନ୍ଧ୍ୟା ୭ଟାରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି।
ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ୯ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି। ୬ ତାରିଖ, ଉଦଘାଟନୀ କାର୍ଯ୍ୟକ୍ରମ ଦିନ ’ମାଟିର ମଣିଷ’, ’କା’ ଏବଂ ’ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ୭ ତାରିଖରେ ପାନୋରମା ପାଇଁ ମନୋନୀତ ଏବଂ ଜାତୀୟ ତଥା ରାଜ୍ୟରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ’କାଲିର ଅତୀତ’ ସ୍କ୍ରିନିଂ ହେବ।
ସେହିପରି ୮ ତାରିଖରେ ’କ୍ରାନ୍ତିଧାରା’ ଏବଂ ୯ ତାରିଖରେ ’ଯାଯାବର’, ’ନିର୍ବାଚନ’, ’କନକଲତା’ ଏବଂ ’ଅଦିନ ମେଘ’ ଫିଲ୍ମ ପ୍ରଦର୍ଶନ କରାଯିବ।ଓଡ଼ିଆ ସିନେମା ଛଡ଼ା ଏହି ଉତ୍ସବରେ କେତନ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର ’ଭବାନୀ ଭବାଇ’, ଗିରିଶ କସରଓ୍ୱାଲିଙ୍କ ନିର୍ଦ୍ଦେଶିତ କନ୍ନଡ଼ ଚଳଚ୍ଚିତ୍ର ’ଘଟଶ୍ରଦ୍ଧା’, ଊର୍ଦ୍ଦୁ ଚଳଚ୍ଚତ୍ର ’ହମିଦ୍’, ମରାଠୀ ସିନେମା ’ଶ୍ୱାସ’, ଛତିଶଗଡ଼ି ଫିଲ୍ମ ’ଭୁଲନା ଦ ମେଜ୍’ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଦାମୁଲ’ ଏବଂ ବବି ଶର୍ମା ବରୁଆଙ୍କ ନିର୍ଦ୍ଦେଶିତ ତିଓ୍ୱା ଭାଷାର ଚଳଚ୍ଚିତ୍ର ’ସିକା ଲସାଲ’ ଆଦି ପ୍ରଦର୍ଶନ କରାଯିବ।
ସେହିପରି ଋତିକ ଘଟକଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ’ମେଘେ ଘାକା ତାରା’ ଏବଂ ଶ୍ୟାମ ବେନଗଲଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଅଙ୍କୁର’ ଫିଲ୍ମ ସ୍କ୍ରିନିଂ ହେବ। ଫେଷ୍ଟିଭାଲ’ର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ବିଷୟକୁ ନେଇ ୨ଟି ମାଷ୍ଟରକ୍ଲାସ୍ ।ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଚଳିତବର୍ଷ ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଏଫ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.