ନୃତ୍ୟ ରୂପରେ ଜାଗ୍ରତ ହେଲା ଭାରତୀୟ ସଂସ୍କୃତିର ଅମୂଲ୍ୟ ଐତିହ୍ୟ

Share It

ଭୁବନେଶ୍ୱର: ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ-ଶିଷ୍ୟ ଯୋଡ଼ି ଶ୍ରୀ ସମ୍ରାଟ ଦତ ଏବଂ ଶ୍ରୀ ସାନ୍ତନୁ ରାୟଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ସହିତ ଶ୍ରୀମତୀ ଚିନ୍ମୟୀ ଦ୍ୱାରକନାଥ ଏବଂ ତାଙ୍କ ଲଳିତ କଳା ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟପ୍ରଦର୍ଶିତ ହୋଇଥିଲା ରବିନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟରେ ।


ଏହି ନୃତ୍ୟ, ସଙ୍ଗୀତ ଏବଂ ସମ୍ମାନ ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସମ୍ପାଦିକ,ା ଗୁରୁ ଡକ୍ଟର ଅରୁଣା ମହାନ୍ତି;ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା ଶ୍ରୀଯୁକ୍ତ ପ୍ରିୟରଞ୍ଜନ ଦାସ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
କାର୍ଯ୍ୟକ୍ରମଟି କୋଲକାତାର ସମୃଦ୍ଧ ଭାରତନାଟ୍ୟମ୍ ପରମ୍ପରାକୁ ଅନୁପ୍ରାଣିତ କରୁଥିବା ପ୍ରଶଂସିତ ଗୁରୁ-ଶିଷ୍ୟ ଯୋଡ଼ି ଶ୍ରୀ ସମ୍ରାଟ ଦତ ଏବଂ ଶ୍ରୀ ସାନ୍ତନୁ ରାୟଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ଉପସ୍ଥାପନା ସହିତ ଆରମ୍ଭ ହୋଇଥିଲା।

ସେମାନଙ୍କର ଉପସ୍ଥାପନା ଦଶମହାବିଦ୍ୟା, ଶ୍ରୀ ସମ୍ରାଟ ଦତଙ୍କ ଦ୍ୱାରା ଏକ ଗବେଷଣାତ୍ମକ ନୃତ୍ୟଶିଳ୍ପ, ତନ୍ତ୍ର ଅନୁସାରେ ପରାଶକ୍ତିର ୧୦ଟି ରୂପକୁ ଚିତ୍ରଣ କରିଥିଲା। ବିଭିନ୍ନ ଭାବନା ଏବଂ ପରମ ଆଧ୍ୟାତ୍ମିକ ପୂର୍ଣ୍ଣତା ଆଡ଼କୁ ପର୍ଯ୍ୟାୟ ମାଧ୍ୟମରେ ମାନବ ଜୀବନର ଯାତ୍ରାକୁ ନିପୁଣ ଭାବରେ ଚିତ୍ରଣ କରିଥିଲାଏହି ଉପସ୍ଥାପନାଟି । ଦାସ-ରାଗମାଲିକା ଏବଂ ତାଳମାଲିକା ଉପରେ ଆଧାରିତ, ଦଶ ଦେବୀ – କମଳା, କାଳୀ, ତାରା, ବଗଳାମୁଖୀ, ଭୈରବୀ, ଭୁବନେଶ୍ୱରୀ, ଧୂମାବତୀ, ମାତଙ୍ଗୀ, ଛିନ୍ନମସ୍ତା ଏବଂ ଷୋଡଶୀଙ୍କ ଏହି ଅନ୍ୱେଷଣ ମାନବ ଅସ୍ତିତ୍ୱର ପରମ ପ୍ରକୃତି ଏବଂ ଆମର ଭାବପ୍ରବଣ ବର୍ଣ୍ଣାଳୀକୁ ପରିଭାଷିତ କରିଥିଲା ।ଶ୍ରୀ କେ.ଜି. ପ୍ରସାଦଙ୍କ କଣ୍ଠସ୍ୱରରେ ଶ୍ରୀମତୀ କୃଷ୍ଣଚନ୍ଦ୍ରଙ୍କ ଦ୍ୱାରା ଆକର୍ଷଣୀୟ ସଙ୍ଗୀତ ସଂଯୋଜନାରେ ସେମାନଙ୍କର ପ୍ରଦର୍ଶନ ଉଚ୍ଚକୋଟିର ଥିଲା।


ସଂନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଶ୍ରୀମତୀ ଚିନ୍ମୟୀ ଦ୍ୱାରକନାଥ ଏବଂ କୋଏମ୍ବାଟୁରର ଲଳିତ କଳା ମନ୍ଦିରର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେମାନେ ବିନାୟକ ସ୍ମରଣ ସହିତ ନୃତ୍ୟ ଆରମ୍ଭ କରିଥିଲେ, ଯାହା ଭଗବାନ ଗଣେଶଙ୍କ ପ୍ରତି ଏକ ବିନମ୍ର ପ୍ରାର୍ଥନା ଥିଲା ଏବଂ ବକ୍ରତୁଣ୍ଡରୁ ଗଜାନନ ପର୍ଯ୍ୟନ୍ତ ତାଙ୍କର ବାରଟି ପବିତ୍ର ନାମକୁ ନୃତ୍ୟ ମାଧ୍ୟମରେ ସ୍ମରଣ କରିଥିଲେ । ନୃତ୍ୟଟି ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂରଚନା ଏବଂ ଶ୍ରୀ ବିନୋଦ କୁମାର ପଣ୍ଡାଙ୍କ ସଙ୍ଗୀତ ରଚନା ଏବଂ କଣ୍ଠସ୍ୱରରେ ପରିବେଷିତ ହୋଇଥିଲା।

ଏହା ପରେ ଶ୍ରୀ ରାମ ଭଜନ, ଶ୍ରୀ ରାମଚନ୍ଦ୍ର କୃପାଳୁ ଭଜମନ, ଯାହା ପ୍ରଭୁ ରାମଙ୍କ ସମ୍ମାନରେ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ, ଯେଉଁଥିରେ ରାଗ ମାଲିକାରେ ପରିବେଷିତ ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ନୃତ୍ୟ ସଂରଚନା ଓ ଶ୍ରୀ ପ୍ରଦୀପ କୁମାର ଦାସଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା କରାଯାଇଥିଲା। ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ଶ୍ରୀମତୀ ଚିନ୍ମୟୀ ଦ୍ୱାରକନାଥଙ୍କ ଦ୍ୱାରା ନୃତ୍ୟ ସଂରଚିତ ମୃତ୍ୟୁଞ୍ଜୟ ଯାହା ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଶାନ୍ତାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବାହକୁ ଜୀବନ୍ତ କରିଥିଲା ।

ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।


Share It

Comments are closed.