ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଆବଶ୍ୟକତା ରହିଛି: ଇଶା ଓ ଆକାଶ ଅମ୍ବାନି

Share It

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି । ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି । ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି । ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି । ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ ।

ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ, “ଲକ୍ଷାଧିକ ଖୁଚୁରା ବିକ୍ରେତାମାନଙ୍କୁ ଜିଓ ଓ ଜିଓମାର୍ଟ ମାଧ୍ୟମରେ ଡିଜିଟାଲ୍ ସକ୍ଷମ କରିବା ଲାଗି ମୁକେଶ ଅମ୍ବାନିଙ୍କ ଲକ୍ଷ୍ୟ ରହିଛି । ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ଆଉ ଟିକେ ନିକଟତର ହୋଇଛୁ ଏବଂ ଆକାଶ ଓ ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ବହୁତ ମହତ୍ୱପୂର୍ଣ୍ଣ ।’’

ଜିଓମାର୍ଟ ଓ ହ୍ୱାଟସ୍‌ଆପ୍‌ର ସହଯୋଗିତା ସମ୍ପର୍କରେ ମନ୍ତବ୍ୟ ଦେଇ ଆକାଶ ଅମ୍ବାନି କହିଛନ୍ତି ଯେ “ହ୍ୱାଟସ୍‌ଆପ୍ ମାଧ୍ୟମରେ ଜିଓମାର୍ଟରେ ଡିଜିଟାଲ୍ କିଣାକିଣି ଏବେ ଏକ ବାର୍ତା ପଠାଇବା ସଦୃଶ ସହଜ ଓ ସରଳ ହୋଇଛି । ବାସ୍ତବରେ ଉପଭୋକ୍ତମାନଙ୍କ ପାଇଁ ଡିଜିଟାଲ କିଣାକିଣିରେ ଏକ ବିପ୍ଳବ ଭଳି ।

ଜିଓର ଦୃଢ଼ ଗ୍ରାହକ ସଂଖ୍ୟା ଓ ସୁଲଭ ସେବାକୁ ପ୍ରଶଂସା କରି ହ୍ୱାଟସ୍‌ଆପ୍ ଜରିଆରେ ଜିଓ ମୋବାଇଲ୍ ରିଚାର୍ଜ କିଭଳି କାମ କରିବ ବୋଲି ମାର୍ଣ୍ଣେ ପ୍ରଶ୍ନ କରିଥିଲେ । ଏହାର ଉତରରେ ଆକାଶ ଅମ୍ବାନି କହିଥିଲେ ଯେ ହ୍ୱାଟସ୍‌ଆପ୍ ଜରିଆରେ ଜିଓର ପ୍ରିପେଡ୍ ରିଚାର୍ଜ କରିବା ଖୁବ୍ ଶୀଘ୍ର ଉପଲବ୍ଧ ହେବ । ୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ସୁବିଧା ବହୁତ ସରଳ ହେବ ଏବଂ ମାତ୍ର ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯାଇପାରିବଯାହା ଜିଓ ଉପଭୋକ୍ତାଙ୍କ ଜୀବନକୁ ଆହୁରି ସହଜ କରିପାରିବ । ବୟସ୍କ ନାଗରିକମାନଙ୍କ ସୁବିଧା ବିଷୟରେ ଆଲୋଚନା କରି ଇଶା କହିଥିଲେ ଯେ ବେଳେ ବେଳେ ବୟସ୍କ ନାଗରିକମାନେ ବାହାରକୁ ଯିବା ସମ୍ଭବ ହୁଏ ନାହିଁସେଭଳି କ୍ଷେତ୍ରରେ ହ୍ୱାଟସ୍‌ଆପ୍ ଜରିଆରେ ଜିଓ ରିଚାର୍ଜ ବହୁତ ସୁବିଧାଜନକ ହେବ ବୋଲି ଇଶା କହିଛନ୍ତି । ଏଥିସହିତ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ ସାଙ୍ଗକୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ହୋଇପାରିବା କୋଟି କୋଟି ଜିଓ ଗ୍ରାହକଙ୍କୁ ଅନନ୍ୟ ସହଜତାର ଅନୁଭୁତି ଆଣିଦେବ ବୋଲି ସେ କହିଥିଲେ ।

ଫ୍ୟୁଏଲ୍ ଫର ଇଣ୍ଡିଆ ୨୦୨୧ ହେଉଛି ଏକ ସାକ୍ଷାତକାରର ଶୃଙ୍ଖଳା ଯେଉଁଥିରେ ଫେସବୁକ୍‌ର ଅଧିକାରୀମାନେ ଦେଶର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି ।


Share It

Comments are closed.