ଆଇପିଏଲ୍‌-୧୫ର କ୍ରୀଡ଼ାସୂଚୀ ଜାରି: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ – କୋଲକାତା

Share It

ଆଗାମୀ ଆଇପିଏଲ୍‌-୧୫ର କ୍ରୀଡ଼ାସୂଜୀ ଘୋଷଣା ହୋଇଛି । ଆସନ୍ତା ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗତ ବର୍ଷର ରନର୍ସ ଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ । ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ୨ଟି ନୂଆ ଦଳ (ଗୁଜରାଟ ଲାୟନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ) ସାମିଲ ହୋଇଥିବାରୁ ମ୍ୟାଚ୍‌ ସଂଖ୍ୟା ବଢି ଯାଇଛି ।

ଏଥର ମୋଟ୍‌ ୭୦ଟି ଲିଗ୍‌ ମ୍ୟାଚ୍‌ ଓ ୪ଟି ପ୍ଲେ- ଅଫ ମୁକାବିଲା ଖେଳାଯିବ । ସମସ୍ତ ମ୍ୟାଚ୍‌କୁ ୬୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ମୁମ୍ବାଇର ୱାଙ୍ଖଡେ, ଡି ୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ମୋଟ୍‌ ୫୫ଟି ମ୍ୟାଚ୍‌ ଖେଳାଯିବ । ୱାଙ୍ଖଡେରେ ୨୦, ବ୍ରାବୋର୍ଣ୍ଣରେ ୧୫ ଓ ଡି ୱାଇ ପାଟିଲ ଷ୍ଟାଡିୟମ୍‌ରେ ୨୦ଟି ମ୍ୟାଚ୍‌ ରହିଛି । ସେହିପରି ପୁନେ ସ୍ଥିତି ଏମ୍‌ସିଏ ଷ୍ଟାଡିୟମ୍‌ରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହି ସିଜନରେ ମୋଟ୍‌ ୧୨ ଦିନ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩.୩୦ ମିନିଟ୍‌ ସମୟରେ ଓ ଦ୍ୱିତୀୟ ମ୍ୟାଚ୍‌ ରାତି ୭.୩୦ ମିନିଟ୍‌ ସମୟରେ ଆରମ୍ଭ ହେବ । ପୂର୍ବ ଭଳି ଏଥର ମଧ୍ୟ ପ୍ରତ୍ୟେ ଦଳ ୧୪ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ । ମୋଟ୍‌ ୧୦ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଗ୍ରୁପ୍‌ ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ସ୍ଥାନ ପାଇଛନ୍ତି । ସେହିପରି ସୁପରକିଙ୍ଗ୍‌ସ, ସନରାଇଜର୍ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ, ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଲାୟନ୍ସ ଗ୍ରୁପ୍‌ ବି’ରେ ରହିଛନ୍ତି ।


Share It

Comments are closed.