ଭୟଙ୍କର ବାଇକ ଦୁର୍ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କର ମୃତ୍ୟୁ

Share It

ବେଙ୍ଗାଲୁରୁ: ସୋମବାର ଅପରାହ୍ନରେ ବେଙ୍ଗାଲୁରୁର ଡଃ ରାଜକୁମାର ରୋଡ୍‌ରେ ଏକ ଦ୍ରୁତଗାମୀ ବୁଲେଟ୍ ମୋଟରସାଇକେଲ ଧକ୍କାରେ ଜଣେ ୨୭ ବର୍ଷୀୟା ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ନାମ ଯୋଗେଶ୍ୱରୀ ଏବଂ ସେ HDFC ବ୍ୟାଙ୍କର କର୍ମଚାରୀ ଥିଲେ। ଦିନ ପ୍ରାୟ ୧୨:୩୦ ସମୟରେ ସେ ମଧ୍ୟାହ୍ନ ଭୋଜନ (lunch) ପାଇଁ ବାହାରକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ନିଜ ସହକର୍ମୀଙ୍କ ସହ ପଶ୍ଚିମ ବେଙ୍ଗାଲୁରୁର ଏକ ବ୍ୟବସାୟିକ କେନ୍ଦ୍ର ରାଜାଜୀନଗରଠାରେ ରାସ୍ତା ପାର ହେଉଥିଲେ।

ପୋଲିସ କହିବା ଅନୁଯାୟୀ, ଦୁଇ ମହିଳା ରାସ୍ତା ପାର ହେଉଥିବା ବେଳେ ଯୋଗେଶ୍ୱରୀଙ୍କ ସହକର୍ମୀ ଏକ ବାଇକ୍ ଆସୁଥିବାର ଦେଖି ଅଧା ରାସ୍ତାରେ ଅଟକି ଯାଇଥିଲେ। କିନ୍ତୁ ବାଇକ୍‌ଟି ଯୋଗେଶ୍ୱରୀଙ୍କୁ ଜୋରରେ ଧକ୍କା ଦେଇଥିଲା, ଯାହାଫଳରେ ସେ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ବାଇକ୍ ଚାଳକ ମଧ୍ୟ ନିଜର ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ।

କେମ୍ପେଗୌଡା ଲେଆଉଟ୍‌ର ବାସିନ୍ଦା ଯୋଗେଶ୍ୱରୀଙ୍କୁ ତୁରନ୍ତ ସୁଗୁଣା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଅତ୍ୟଧିକ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଭିକ୍ଟୋରିଆ ହସ୍ପିଟାଲକୁ ପଠାଯାଇଛି।

ବାଇକ୍ ଚାଳକଙ୍କ ପରିଚୟ ୨୨ ବର୍ଷୀୟ ଦୀପନ ବୋଲି ଜଣାପଡ଼ିଛି। ସେ ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Share It

Comments are closed.