ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ସ୍ଥାନରେ ମୁମ୍ବାଇର ୧୭ ବର୍ଷୀୟ ଓପନର ଆୟୁଷ ମହାତ୍ରେଙ୍କୁ ସାମିଲ କରିବାକୁ ବିଚାର କରୁଛି। ତେବେ ସିଏସ୍କେ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ହାତରେ ଫ୍ରେକ୍ଚର କାରଣରୁ ଋତୁରାଜଙ୍କ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ଏବେ ଦଳର ନେତୃତ୍ୱ ନେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆୟୁଷଙ୍କ ବ୍ୟାଟିଂ ଉପରେ ନଜର ରଖିବା ପାଇଁ ଦୁଇ ସପ୍ତାହ ତଳେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଟ୍ରାଏଲ ପାଇଁ ଡାକିଥିଲା। ଗାଇକୱାଡ ଆହତ ହେବା ପରେ ତାଙ୍କୁ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇପାରେ। ମହାତ୍ରେ ମୁମ୍ବାଇ ପାଇଁ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୭ଟି ଲିଷ୍ଟ-ଏ ମ୍ୟାଚ୍ ରେ ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ବେଳେ ନାଗାଲାଣ୍ଡ ବିପକ୍ଷରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୮୧ ରହିଛି। ଏହାବ୍ୟତୀତ ବିଜୟ ହଜାରେ ଟ୍ରଫି ରେ ସେ ସୌରାଷ୍ଟ୍ର ବିପକ୍ଷରେ ୧୪୮ ରନ୍ କରିଥିଲେ। ୨୦୨୪ରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ମହାତ୍ରେଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା।
ସେ ୩ଟି ମ୍ୟାଚ୍ ଖେଳି ୫୫ ରନ୍ କରିଥିଲେ। ଗତବର୍ଷ ଇରାନୀ ଟ୍ରଫିରେ ସେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିଲେ। ଗତବର୍ଷ ଇରାନୀ ଟ୍ରଫିରେ ରେଷ୍ଟ ଅଫ୍ ଇଣ୍ଡିଆ ବିପକ୍ଷରେ ମୁମ୍ବାଇ ରଣଜୀ ଟ୍ରଫି ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମହାତ୍ରେ ପଦାର୍ପଣ କରିଥିଲେ। ମହାତ୍ରେଙ୍କ ଘର ମୁମ୍ବାଇଠାରୁ ୪୬ କିଲୋମିଟର ଦୂରରେ । ସେ ପ୍ରତିଦିନ ସକାଳ ୫ଟାରେ ବିରାରରୁ ଟ୍ରେନ୍ ଧରି ମୁମ୍ବାଇର ଓଭାଲ୍ ଗ୍ରାଉଣ୍ଡରେ ପହଞ୍ଚିଥାନ୍ତି। ସେ ବିରାରର ସାଇନାଥ ସ୍ପୋର୍ଟସ କ୍ଲବ ପାଇଁ ଖେଳନ୍ତି । ମାତ୍ର ୧୩ ବର୍ଷ ବୟସରେ ତାଙ୍କୁ କ୍ଲବର ସିନିୟର ଦଳରେ ସାମିଲ କରାଯାଇଥିଲା, ଯେଉଁଠାରେ ସେ ସିନିୟର ବୋଲରଙ୍କୁ ବେଶ୍ ପ୍ରଭାବଶାଳୀ ଭାବେ ମୁକାବିଲା କରିଥିଲେ। ୬ ବର୍ଷ ବୟସରୁ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ଗତବର୍ଷ ଏକ ସାକ୍ଷାତକାରରେ ମହତ୍ରେ କହିଥିଲେ ଯେ ସେ ୬ ବର୍ଷ ବୟସରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ, କିନ୍ତୁ ୧୦ ବର୍ଷ ବୟସରେ ସେ କ୍ରିକେଟ୍ ପ୍ରତି ଗମ୍ଭୀର ହୋଇପଡ଼ିଥିଲେ। ସେ କ୍ରିକେଟ୍ ପାଇଁ ଡନ୍ ବସ୍କୋ ହାଇସ୍କୁଲରେ ନାମ ଲେଖାଇଥିଲେ ଏବଂ ତାଙ୍କ ଜେଜେବାପା ଲକ୍ଷ୍ମୀକାନ୍ତ ନାୟକ ତାଙ୍କୁ ପ୍ରତିଦିନ ଅଭ୍ୟାସ ପାଇଁ ନେଇଥିଲେ। ମହତ୍ରେଙ୍କ ବାପା ଯୋଗେଶ ବସାଇ କର୍ପୋରେସନ ବ୍ୟାଙ୍କରେ କିରାଣୀ ଭାବେ କାମ କରନ୍ତି। ତେବେ ଏହା ପୂର୍ବରୁ ତାଙ୍କ ବାପା ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ।
Comments are closed.