ଭିଏତନାମ ବାର୍‌ରେ ଅଗ୍ନିକାଣ୍ଡ: ୩୨ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

Share It

ଭିଏତନାମର ଏକ ବାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଭିଏତନାମର ଥୁଏନ୍ ଆନ ସହରର ଏକ ଚାରି ମହଲା କୋଠାର ଦ୍ବିତୀୟ ମହଲାରେ ଥିବା ବାର୍‌ରେ ନିଆଁ ଲାଗି ଯାଇଥିଲା । ନିଆଁରୁ ବର୍ତ୍ତିବା ପାଇଁ କିଛି ଲୋକେ ପ୍ରାଣ ବିକଳରେ ବିଲ୍ଡିଂର ବାଲକୋନିରୁ ଡେଇଁ ପଡିଥିଲେ । ଯେଉଁ କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏନେଇ ଗତକାଲି(ବୁଧବାର) ଭିଏତନାମାର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡରେ ପ୍ରଥମେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ଓ ୧୧ ଜଣ ଆହତ ହୋଇଥିବାର ଜଣାପଡିଥିଲା । ପରେ ମୃତ୍ୟୁସଂଖ୍ୟା ବଢି ୩୨ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୧୭ ଜଣ ପୁରୁଷ ଏବଂ ୧୫ ଜଣ ମହିଳା ରହିଛନ୍ତି । ଥୁଏନ୍ ଆନ ସହରର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, କେବଳ ୮ ଜଣଙ୍କ ମୃତଦେହ ବାର୍ ଶୌଚାଳୟରୁ ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି ।
ବାର୍ ନିକଟରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ”ଯେତେବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେ ସମୟରେ ୪୦ ଜଣ ଲୋକେ ବାର୍ ଭିତରେ ଫସି ରହିଥିଲେ । କିଛି ଲୋକ ବାର୍‌ର ମୁଖ୍ୟ ଦ୍ବାର ଦେଇ ବାହାରକୁ ଆସିଥିଲେ । ହେଲେ ଅନ୍ୟ କିଛି ଲୋକେ ନିଆଁ ତାପ ସହି ନପାରି ଝରକା ଓ ବାଲକୋନିରୁ ଡେଇଁ ପଡିଥିଲେ । ଏଥିରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁତ ଲୋକଙ୍କ ହାତଗୋଡ ଭାଙ୍ଗି ଯାଇଛି ।” ବାର୍‌ରେ କୌଣସି ଲୋକେ ଫସି ରହିଥିବାର ଆଶଙ୍କା ଉଦ୍ଧାରକାରୀ ଦଳ ପକ୍ଷରୁ ରାତି ତମାମ୍ ସେଠାରେ ଖୋଜାଖୋଜି କରାଯାଇଥିଲା ।


Share It

Comments are closed.