ଅପରେସନ ସିନ୍ଦୂର ଉପରେ ବିବାଦୀୟ ଟିପ୍ପଣୀ କରିଥିବା ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନଙ୍କୁ ପଠାଗଲା ଜେଲ
ଅପରେସନ ସିନ୍ଦୂର ଉପରେ ବିବାଦୀୟ ଟିପ୍ପଣୀ କରି ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନ ମହମ୍ମୁଦାବାଦଙ୍କୁ ୧୪ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି । ପେହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂରରେ ଯେତେବେଳେ ଭାରତୀୟ ସେନା ପାକିସ୍ତାନ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲେ ସେତେବେଳେ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ନିଜ ସୋସିଆଲ ମିଡିଆରେ ଟିପ୍ପଣୀ ଦେଇଥିଲେ । ଘଟଣାଟି ଅଧିକ ବିବାଦୀୟ ହୋଇଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଗ୍ରେଟର କୈଳାସସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୋଲିସ ହେପାଜତକୁ ପଠାଯାଇଥିଲା । ଏହା ପରେ ସ୍ଥାନୀୟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଥିଲେ ।
ରିମାଣ୍ଡ ସରିବା ପୂର୍ବରୁ ପ୍ରଫେସର ଅଲ୍ଲୀ ଖାନ ମହମ୍ମୁଦାବାଦଙ୍କୁ ସୋନିପତର ଜିଲ୍ଲା ଅଦାଲତରେ ହାଜିର କରାଯାଇଥିଲା । କୋର୍ଟ ଶୁଣାଣି କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । କୋର୍ଟ ପକ୍ଷରୁ ଆଗାମୀ ଶୁଣାଣୀ ୨୭ ମେ’ରେ ଅଛି । ମହମ୍ମୁଦାବାଦଙ୍କ ଓକିଲ କପିଲ ବାଲିୟନ କହିଛନ୍ତି ଯେ, ଆସୋସିଏଟ ପ୍ରଫେସର ମହମ୍ମୁଦାବାଦଙ୍କର ୨ ଦିନିଆ ରିମାଣ୍ଡ ସରିବା ପରେ ମଙ୍ଗଳବାର ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜିର କରାଯାଇଥିଲା । ତାଙ୍କ ରିମାଣ୍ଡକୁ ଆଉ ୭ ଦିନ ବଢାଇବା ପାଇଁ ପୋଲିସ ଅନୁମତି ମାଗିଛି । ପୋଲିସ ରିମାଣ୍ଡ ନବଢାଇବା ପାଇଁ ଆମେ ଲଢେଇ କରିଥିଲୁ । ଏହା ପରେ କୋର୍ଟ ତାଙ୍କୁ ଜେଲ ପଠାଇ ଦେଇଛି । ଅଶୋକା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉକି ମହମ୍ମୁଦାବାଦ ଅପରେସନ ସିନ୍ଦୂର ସଂପର୍କରେ ପ୍ରେସ ବ୍ରିଫିଙ୍ଗକୁ “ଭଣ୍ଡ ଏବଂ ଦେଖାଣିଆ” ବୋଲି ସମ୍ବୋଧିତ କରିଥିଲେ ।
Comments are closed.