ଏବେ ପିଓକେରେ ମୁଣ୍ଡ ଟେକିଲା ଚୀନ ବିରୋଧୀ ସ୍ୱର

Share It

ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମୁଜଫରାବାଦରେ ତେଜୁଛି ଚୀନ ବିରୋଧୀ ସ୍ୱର । ଚୀନ ଦ୍ୱାରା ନୀଲମ ଏବଂ ଝେଲମ ନଦୀ ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ବ୍ୟାରେଜ୍ ଓ ଜଳବିଦ୍ୟୁତ ପ୍ରକଳ୍ପ ପ୍ରତିବାଦରେ ସ୍ଥାନୀୟ ଲୋକେ ଏହି ବିକ୍ଷୋଭ କରୁଛନ୍ତି। ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏକଜୁଟ ହୋଇ ନୀଲମ-ଝେଲମ ଏବଂ କୋହାଲା ଜଳବିଦ୍ୟୁତ ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ପାକିସ୍ତାନ ଏବଂ ଚୀନ ଦ୍ବାରା ନିର୍ମାଣ ଚାଲିଥିବା ବ୍ୟାରେଜ୍ ଯୋଗୁ ଉପୁଜିବାକୁ ଥିବା ପରିବେଶ ସମ୍ବନ୍ଧୀୟ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ଏହାକୁ ନେଇ ସେଠାକାର ସୋସିଆଲ ମିଡିଆରେ ଏକ ହାସ୍‌ଟ୍ୟାଗ୍ #saveRiversSaveJK ଟ୍ରେଣ୍ଡ କରୁଛି। ଏହା ଜରିଆରେ ପିଓକେବାସୀ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛନ୍ତି।

ବିକ୍ଷୋଭକାରୀମାନେ ପ୍ରଶ୍ନ କରିଛନ୍ତି ଯେ, ବିବାଦୀୟ ଅଞ୍ଚଳରେ କେଉଁ ଆଇନ ଅଧୀନରେ ପାକିସ୍ତାନ ଏବଂ ଚୀନ ମଧ୍ୟରେ ନଦୀକୁ ନେଇ ବୁଝାମଣା ହୋଇଛି ? ପାକିସ୍ତାନ ଏବଂ ଚୀନ ନଦୀଗୁଡ଼ିକୁ କବ୍‌ଜା କରି ଜାତିସଂଘ ସୁରକ୍ଷା ପରିଷଦର ସଙ୍କଳ୍ପକୁ ଉଲ୍ଲଂଘନ କରୁଛନ୍ତି। ଜଣେ ବିକ୍ଷୋଭକାରୀ କହିଛନ୍ତି, ଆମକୁ କୋହାଲା ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିବା ଦରକାର ଏବଂ ଯେପର‌୍ୟ୍ୟନ୍ତ ଏହା ବନ୍ଦ ନ ହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବା ଉଚିତ। ସୂଚନାଯୋଗ୍ୟ, ନିକଟରେ ଚୀନ କମ୍ପାନୀ, ଚୀନ ସରକାର ଏବଂ ପାକିସ୍ତାନ ମଧ୍ୟରେ କୋହାଲାରେ ୧୧୨୪ ମେଗାୱାଟ୍ ବିଶିଷ୍ଟ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ୨୪୦ କୋଟି ଡଲାରର ଏକ ତ୍ରିପାକ୍ଷିକ ଚୁକ୍ତି ହୋଇଛି। ଚୀନ ପାକିସ୍ତାନ ଆର୍ଥିକ କରିଡର(ସିପିଇସି) ଅଧୀନରେ ଝେଲମ ନଦୀରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାକୁ କୋହାଲା ହାଇଡ୍ରୋପାୱାର କମ୍ପାନୀ ଲିମିଟେଡ୍ ନିର୍ମାଣ କରୁଛି, ଯାହା ଚୀନର ଥ୍ରୀ ଗର୍ଜେସ କର୍ପୋରେଶନର ସହାୟକ ରହିଛି।


Share It

Comments are closed.