ଡଟ୍ ଫେଷ୍ଟ୍‌ର ୭ମ ଦିନରେ ଅମିତ୍ ତ୍ରିବେଦୀଙ୍କ ରୋମାଂଟିକ୍ ଗୀତରେ ଝୁମିଲା ଭୁବନେଶ୍ୱର


ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟ୍‌କୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ଆଜି ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଓ ପରିଦର୍ଶକଙ୍କ ଆଗମନ ଦେଖିବାକୁ ମିଳିଛି । ୭ମ ଦିନରେ ବଲିଉଡ୍‌ର ସଙ୍ଗୀତ ନିର୍ଦ୍ଦେଶକ ଓ କମ୍ପୋଜର ଅମିତ ତ୍ରିବେଦୀ ରୋମାଂଟିକ୍ ଗୀତଗୁଡିକ ମାଧ୍ୟମରେ ଭୁବନେଶ୍ୱରକୁ ଝୁମାଇଛନ୍ତି । ଆଜି ଦିନର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ଓଡିଆ ଗାୟକ ସ୍ୱୟମ୍ ପାଢୀଙ୍କ ସଙ୍ଗୀତମୟ ପ୍ରଦର୍ଶନ ।

ଏହାବ୍ୟତୀତ ପରିଦର୍ଶକମାନେ ଏହି ଡଟ୍ ଫେଷ୍ଟ୍‌ରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ମଜା ମଧ୍ୟ ଉଠାଇଛନ୍ତି । ଲିଟ୍ଟି ଚୋଖା, ଡାଲ୍ ବାଟି ଓ କୋଲ୍‌କାତା ଷ୍ଟାଇଲ୍ ଗୁପଚୁପ୍ ଖାଦ୍ୟପ୍ରେମୀଙ୍କ ହୃଦୟ ଜିତିଛି କାରଣ ପରିଦର୍ଶକମାନେ ଏହାକୁ ବହୁମାତ୍ରାରେ କ୍ରୟ କରିଛନ୍ତି । ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର , ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ  ଏକ ଚମତ୍କାର ମଂଚ ପ୍ରଦାନ କରିଛି ଯେଉଁଠାରେ ସେମାନେ ନିଜ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ଏଠାରେ ପରିଦର୍ଶକମାନେ ଧୁଡୁକି, ଡାପ୍ ଓ ଯୋଡିଖଙ୍କ ଭଳି ଓଡିଶାର ଆଂଚଳିକ ନୃତ୍ୟକଳାଗୁଡିକୁ ଦେଖିବାକୁ ପାଇବେ କାରଣ କଳାକାରମାନେ ନାଇଟ୍ ଫ୍ଲି ମାର୍କେଟ୍‌ରେ ୩ଟି ମଂଚରେ ନିଜ କଳାର ପ୍ରଦର୍ଶନ କରୁଛନ୍ତି । ପରିଦର୍ଶକଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଥିବା କିଛି ଷ୍ଟଲ୍ ମଧ୍ୟରେ ସିମ୍ପଲ୍ କ୍ରେଜିସ୍‌, ଅର୍ବାନୋମ୍ୟାଡ୍‌, ପଞ୍ଜାବ ଜୁତି ଷ୍ଟୋର୍‌, ତନ୍‌ବୀର ଫ୍ରମ୍ ହିମାଚଳ, ଟ୍ରାଡିସ୍‌ନାଲ ଅରା-ବାରାଣସୀ, ରେଡ୍ ଅକ୍‌ରେ ଆଦି ସାମିଲ ଅଛନ୍ତି ।

ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବାର ଲକ୍ଷ୍ୟ ସହିତ ସ୍ଥାପିତ ହୋଇଥିବା ଫ୍ଲି ମାର୍କେଟ୍‌ରେ ଚମତ୍କାର ଭିଡ ଦେଖିବାକୁ ମିଳିଛି ଓ ପରିଦର୍ଶକଙ୍କ ପାଇଁ ଏକ ଉତମ ସପିଙ୍ଗ୍ ଅନୁଭୂତି ପ୍ରଦାନ କରୁଛି, ଯେଉଁଠାରେ ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀଗୁଡିକୁ ପ୍ରଦର୍ଶନ କରାଯାଉଛି । ଏହାର ୨ୟ ସପ୍ତାହକୁ ଅଗ୍ରସର ହୋଇଥିବା ଡଟ୍ ଫେଷ୍ଟ୍ ଆଗାମୀ ଦିନରେ ଆହୁରି ବୃହତ୍ ଓ ଉନ୍ନତ ହେବ ବୋଲି ଆଶା କରାଯାଉଛି । ୮ମ ଦିନରେ ଅର୍ଥାତ୍ ଜାନୁଆରୀ ୨୨ ତାରିଖ ୨୦୨୩ରେ ଡଟ୍ ଫେଷ୍ଟ୍‌ରେ ‘ସୁହାନା ସଫର୍‌’ ବିଷୟବସ୍ତୁ ଆୟୋଜିତ ହେବ ଏବଂ  ଉଦିତ୍ ନାରାୟଣ, ଅଲ୍‌କା ୟାଗ୍‌ନିକ୍ ଓ ସତ୍ୟଜିତ୍ ଜେନାଙ୍କ ଭଳି ଶାସ୍ତ୍ରୀୟ ଓ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞମାନେ ମଂଚରେ ପ୍ରଦର୍ଶନ କରିବେ ।


Share It

Comments are closed.