ଦୁର୍ଘଟଣାଗ୍ରସ୍ଥ ଯୁବକଙ୍କର ୱାଲେଟ୍ ଓ ମୋବାଇଲ ଫେରାଇ ମାନବିକତାର ପରିଚୟଦେଲେ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଆଜିର ଏ ସଭ୍ୟ ସମାଜରେ ଅନେକ ଘୃଣ୍ୟ କାର୍ଯ୍ୟ ହେଉଥିଲେ ମଧ୍ୟ ଏପରିବି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ମାନବିକତା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ରାଜ୍ୟରେ ମାଗଣା ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିବା ୧୦୮, ୧୦୨ ଆମ୍ବୁଲାନ୍ସର କର୍ମଚାରୀମାନେ ବିଭିନ୍ନ ସମୟରେ ନିଜର ମାନବିକତା ଦେଖାଇ ସାଧାରଣ ଜନତାକୁ ତାଙ୍କ କର୍ତ୍ତବ୍ୟ ପରିସରରୁ ବାହାରକୁଯାଇ ମଧ୍ୟ ସହାୟତା କରିଛନ୍ତି । ଏହିପରି ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ସମୟରେ ନିଜର ନିଃଶ୍ୱାର୍ଥପର ସେବା, ନିଷ୍ଠା, ବଦାନ୍ୟତା ଓ ମାନବିକତା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ସେଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ମହାକାଳପଡ଼ା ବ୍ଲକର ନାଳଡିଆଠାରେ । ସୂଚନା ଅନୁଯାୟୀ ଫେବୃଆରୀ ୨୯ ତାରିଖ ସକାଳ ୮.୪୭ରେ ନାଳଡିଆ ଛକ ରାସ୍ତା ପାଶ୍ୱର୍ରେ ସାଇ ଶ୍ରଦ୍ଧା ପ୍ରିୟରଞ୍ଜନ ଲେଙ୍କା ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କର ଦୁର୍ଘଟଣା ଖବର ପାଇ ଆମ୍ବୁଲାନ୍ସ ଚାଳକ ବିଭୁତି ଭୂଷଣ ସ୍ୱାଇଁ, ଇଏମଟି ଏସକେ ସନ୍ତୋଷ କୁମାର ଏବଂ ସହାୟକ ଆଲୋକ କୁମାର ମଲ୍ଲିକ ୧୦୮ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେଠାରୁ ଉକ୍ତ ରୋଗୀଙ୍କର ୱାଲେଟ ଓ ମୋବାଇଲ ମଧ୍ୟ ପାଇଥିଲେ । ଯେହେତୁ ରୋଗୀଜଣଙ୍କ ଅଚେତ ଥିଲେ ଏବଂ ଦୁର୍ଘଟଣାସ୍ଥଳରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନଥିଲେ ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କର ଫୋନ ମାଧ୍ୟମରେ ତାଙ୍କର ପରିବାର ସହ ଯୋଗଯୋଗ କରିଥିଲେ ଏବଂ ତାଙ୍କୁ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ଼କାଇଥିଲେ । ଘରଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା କମ୍ ହୋଇଥିବାରୁ ରୋଗୀଜଣଙ୍କୁ ସେହିଠାରେ ହିଁ ରଖାଯାଇଥିଲା । ଏହାପରେ ରୋଗୀଙ୍କର ପରିବାର ସଦସ୍ୟମାନେ ମେଡିକାଲରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଚାଳକ ବିଭୂତି ଭୂଷଣ ସ୍ୱାଇଁ ଘଟଣାସ୍ଥଳାରୁ ପାଇଥିବା ୱାଲେଟ ଓ ମୋବାଇଲକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହି ସଚ୍ଚୋଟପଣିଆ ପାଇଁ ଉକ୍ତ ଅଞ୍ଚଳର ଲୋକ ମାନଙ୍କ ଦ୍ୱାରା ସେ ଅନେକ ମାତ୍ରାରେ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.