ଲକଡାଉନ ପରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲିପାରେ ଟ୍ରେନ
ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସମସ୍ୟା ହେଉଥିବାରୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇପାରନ୍ତି । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି । ବିଭିନ୍ନ ରାଜ୍ୟର ସରକାରମାନେ ବସ୍ ପଠାଇ ଅଟକି ରହିଥିବା ଯାତ୍ରୀଙ୍କୁ ନେଉଛନ୍ତି । ତେବେ ବସ୍ରେ ଯାତ୍ରୀଙ୍କୁ ନେବାରେ ଘୋର ସମସ୍ୟା ସୃଷ୍ଟି ହେଉଛି । ତେଣୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରାୟ ୨୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଇବା ଉପରେ ବିଚାର କରୁଛନ୍ତି । ଖୁବଶୀଘ୍ର ଏହି ବିଷୟ ଘୋଷଣା କରାଯିବାର ସମ୍ଭାବନା ରହିଛି ।
ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି, ହଜାର ହଜାର କି.ମି. ଦୂରରେ ଥିବା ଏହି ଶ୍ରମିକମାନଙ୍କୁ ବସ୍ରେ ଆଣିବା ଆଦୌ ସମ୍ଭବ ନୁହେଁ । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଯଦି ସାମାଜିକ ଦୂରତା ରକ୍ଷା କରି ବସ୍ରେ ଶ୍ରମିକଙ୍କୁ ଅଣାଯିବ ତେବେ ଗୋଟିଏ ବସ୍ରେ ୧୫ରୁ ୨୦ ଜଣ ଶ୍ରମିକ ଆସିବେ । ୨୫ ଲକ୍ଷ ଶ୍ରମିକଙ୍କୁ ଆଣିବା ଲାଗି ୧ଲକ୍ଷ ୭୦ ହଜାର ବସ୍ ଦରକାର । ତେଣୁ ଏତେ ବସ୍ କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଟ୍ରେନରେ ଶ୍ରମିକଙ୍କୁ ଆଣିବାକୁ ସେ ଦାବି କରିଛନ୍ତି । କେବଳ ବିହାର ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ଅଭିଯୋଗ ଉଠାଇଛନ୍ତି। ତେଣୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଇବା ଉପରେ ବିଚାର କରୁଛନ୍ତି। ସେପଟେ ରେଳ ମନ୍ତ୍ରଣାଳୟ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ପ୍ରସ୍ତୁତ ଥିବା କହିଛି । ଏଥିପାଇଁ କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି । ଗୁରୁବାର ରେଳ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ଆଲୋଚନା କରାଯାଇଛି ।
ଭାରତରେ ପ୍ରତିଦିନ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ଓ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏହି ବିଶ୍ୱ ମହାମାରୀର ଦୁଇଗୁଣ ଗତି ଉପରେ ରୋକ୍ ଲାଗିପାରିଛି । ଲକ୍ଡାଉନ ପୂର୍ବରୁ ପ୍ରତି ୩.୪ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା ୧୧ ଦିନ ରହିଛି । ସେହିଭଳି ଦେଶରେ ବର୍ତ୍ତମାନ କରୋନା ଜନିତ ମୃତ୍ୟୁହାର ୩.୨ ଧ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଜାତୀୟ ସ୍ତରରେ ଦୁଇଗୁଣ ସମୟ ୧୧ ଦିନ ରହିଥିଲେ ମଧ୍ୟ କେତେକ ରାଜ୍ୟରେ ଏହି ସମୟ ଅଧିକ ରହିଛି । ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ତାମିଲନାଡୁ ଓ ପଞ୍ଜାବରେ ୧୧-୨୦ ଦିନ ରହିଛି । ସେହିଭଳି କର୍ଣ୍ଣାଟକ, ଲଦାଖ, ହରିଆଣା, ଉତ୍ତରାଖଣ୍ଡ ଓ କେରଳରେ ଏହା ୨୦-୪୦ ଦିନ ସମୟ ରହିଛି । ସେ କହିଛନ୍ତି ବର୍ତ୍ତମାନ ଦେଶରେ ମୃତ୍ୟୁହାର ରହିଛି ୩.୨ ଧ । ମୃତବ୍ୟକ୍ତିଙ୍କ ମଧ୍ୟରେ ୬୫ ଧ ପୁରୁଷ ରହିଥିଲା ବେଳେ ୩୫% ମହିଳା ଅଛନ୍ତି । ଯଦି ବୟସକୁ ବିଚାରକୁ ନେବା ତେବେ ୪୫ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ମୃତ୍ୟୁହାର ୧୪ %ଥିଲା ବେଳେ ୪୫ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁହାର ରହିଛି ୩୪.୮% ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମୃତ୍ୟୁହାର ରହିଛି ୫୧.୨ % । ଆରୋଗ୍ୟ ହାର ମଧ୍ୟ ଲଗାତାର ଭାବେ ବଢ଼ିଚାଲିଛି । ଗତ ୧୪ ଦିନ ଭିତରେ ଆରୋଗ୍ୟ ହାର ୧୩.୦୬ %ରୁ ୨୫.୧୯ %କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
Comments are closed.