୨ ହଜାର ଦରମାରୁ କୋଟିପତି: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି!
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆଜି ହୋଇଥିବା ଚଢ଼ାଉରୁ ଜଣାପଡ଼ିଛି ଯେ, ମାତ୍ର ୨୦୦୦ ଟଙ୍କା ଦରମାରୁ ଚାକିରି ଆରମ୍ଭ କରିଥିବା ଏହି ଯନ୍ତ୍ରୀ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ।
ଚାକିରି କ୍ୟାରିୟର: ଭିଜିଲାନ୍ସ ସୂଚନା ଅନୁସାରେ, ରାଜେଶ ମହାନ୍ତି ୧୯୯୪ ମସିହାରେ ଓଡ଼ିଶା ହାଉସିଂ ବୋର୍ଡରେ ଜଣେ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସମୟରେ ତାଙ୍କ ଦରମା ଥିଲା ମାସିକ ୨୦୦୦ ଟଙ୍କା। ପରେ ସେ ଜଳସମ୍ପଦ ବିଭାଗ, ଜାରକା-ଚାନ୍ଦବାଲି ସବ୍-ଡିଭିଜନ ଏବଂ କଟକ ମହାନଦୀ ଦକ୍ଷିଣ ଡିଭିଜନ ଭଳି ବିଭିନ୍ନ ସ୍ଥାନରେ କାମ କରି ଚଳିତ ବର୍ଷ ଫେବୃଆରୀରେ ଭୁବନେଶ୍ୱରରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଡ୍ୟାମ୍ ସେଫ୍ଟି) ଭାବେ ନିଯୁକ୍ତି ପାଇଥିଲେ।
ମିଳିଥିବା ସମ୍ପତ୍ତିର ତାଲିକା: ଚଢ଼ାଉ ବେଳେ ରାଜେଶ ଓ ତାଙ୍କ ପରିବାର ନାମରେ ଥିବା ଅନେକ ଦାମୀ ସମ୍ପତ୍ତି ଠାବ ହୋଇଛି:
ଘର ଓ ଫାର୍ମ ହାଉସ୍: ଭୁବନେଶ୍ୱର ବରମୁଣ୍ଡାରେ ଏକ ତିନି ମହଲା କୋଠା ଏବଂ ଢେଙ୍କାନାଳର ଭାପୁରରେ ୪୦୦୦ ସ୍କୋୟାର ଫୁଟର ଏକ ବିଶାଳ ଫାର୍ମ ହାଉସ୍।
ଜମି: ଭୁବନେଶ୍ୱର, ଯାଜପୁର କଳିଙ୍ଗନଗର ଏବଂ ଢେଙ୍କାନାଳରେ ସମୁଦାୟ ୮ଟି ଦାମୀ ପ୍ଲଟ୍।
ନଗଦ ଓ ସୁନା: ୬ ଲକ୍ଷ ୨୩ ହଜାର ନଗଦ ଟଙ୍କା ଏବଂ ୩୫୦ ଗ୍ରାମର ସୁନା ଅଳଙ୍କାର।
ବ୍ୟାଙ୍କ ଜମା: ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧.୭୦ କୋଟି ଟଙ୍କାର ଜମା।
ଅନ୍ୟାନ୍ୟ: ୧୩.୪୭ ଲକ୍ଷ ଟଙ୍କାର ବିମାନ ଟିକେଟ୍, ୨ଟି ଦାମୀ କାର୍ (ହୁଣ୍ଡାଇ ଓ ହୋଣ୍ଡା ସିଟି), ୨ଟି ବାଇକ୍ ଏବଂ ପ୍ରାୟ ୨୦ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ, ଭୁବନେଶ୍ୱର, ଯାଜପୁର ଏବଂ ଢେଙ୍କାନାଳର ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଛି ଏବଂ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Comments are closed.