ଏସିପି ଖୋଲିଲେ ହତ୍ୟାର ରହସ୍ୟ,ୟୁଟ୍ୟୁବର ରାହୁଲ ହତ୍ୟା ଘଟଣାରେ ଆର୍ମି ଯବାନଙ୍କ ସମେତ ୩ ଗିରଫ
ଭୁବନେଶ୍ୱର,୦୧/୦୩: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନି ଗାଁ ହାଇ ସ୍କୁଲ ପଡ଼ିଆରେ ୟୁଟ୍ୟୁବର ରାହୁଲ ରଞ୍ଜନ ମହାରଣାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆର୍ମି ଯବାନ ଏବଂ ତାଙ୍କ ଦୁଇ ପୁତୁରା ରହିଛନ୍ତି। ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ମନପୁର ଗାଁର ସଂଗ୍ରାମ କେଶରୀ ବେହେରା ଓରଫ ସତୁରା (୩୭) ଏବଂ ତାଙ୍କ ଦୁଇ ପୁତୁରା ହେଲେ ସଂଗ୍ରାମ ବେହେରା ଓରଫ କୁନା (୨୪) ଓ ସମରେନ୍ଦ୍ର ବେହେରା ଓରଫ ମୁନା (୨୦)। ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ, ୩ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି । ଏହି ଘଟଣାରେ ମୃତ ରାହୁଲଙ୍କ ସାଙ୍ଗ ସଚିନ କୁମାର ନାୟକଙ୍କ ଏତଲା ଆଧାରରେ ପୋଲିସ ହତ୍ୟା ମାମଲା (ନଂ.୧୪୪/୨୦୨୬) ରୁଜୁ କରିଛି। ଏହି ଘଟଣାରେ କୌଣସି ପୂର୍ବ ଶତ୍ରୁତା ନ ଥିଲା। ବରଂ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଝଗଡା ବେଳେ ଅଭିଯୁକ୍ତମାନେ ଏହି କାଣ୍ଡ ଘଟାଇଥିଲେ ବୋଲି ଜୋନ-୫ ଏସିପି ବିଶ୍ୱରଞ୍ଜନ ସେନାପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.