ନବରଙ୍ଗପୁର, ରାଇଘର ବ୍ଲକର ଚାଷୀମାନଙ୍କୁ ତୁରନ୍ତ ଧାନ ବିକ୍ରି ଜନିତ ବକେୟା ପ୍ରାପ୍ୟ ଦେବାପାଇଁ ଆପ୍ ଓଡ଼ିଶାର ଦାବି

Share It

ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡକୁ ସଳଖୀ ଛିଡା କରିବା ପାଇଁ ଦିନ ରାତି ଯେଉଁ ଚାଷୀକୁଳ ପ୍ରାଣମୁର୍ଚ୍ଛା ପରିଶ୍ରମ କରୁଛନ୍ତି ସେହି ନିରୀହ ଚାଷୀ ଭାଇଙ୍କ ପ୍ରତି ରାଜ୍ୟ ସରକାରଙ୍କ ବିରାଟ ଚଞ୍ଚକତାକୁ  ଆଜି ପର୍ଦ୍ଦାଫାଶ କରିବାକୁ ଯାଉଛୁ। ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇଦେବାକୁ ଚାହୁଁଛୁ ଯେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ୩୪୪ଜଣ ଚାଷୀଙ୍କ ଠାରୁ ଗତ ଫେବୃଆରୀ ମାସରେ ସରକାରଙ୍କ ପକ୍ଷରୁ ୭ଟି ଧାନ ମିଲରେ ଲ୍ୟାମ୍ପସ ମାଧ୍ୟମରେ ୧୪ ହଜାର ୨୫୨ କ୍ଵିଣ୍ଟାଲର ଖରିଫ ଧାନ କିଣାଯାଇଥିଲା। ସରକାରୀ ହିସାବ ଅନୁଯାୟୀ ୪କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ମୂଲ୍ୟର ଧାନକୁ ଚାଷୀଙ୍କ ଠାରୁ କିଣି ସାରିବାର ସାଢେ଼ ୪ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କାଟିଏ ମଧ୍ୟ ନ ଦେବା ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତିକୁ ସ୍ପଷ୍ଟ ଭାବରେ ଉଜାଗର କରୁଛି। ସରକାରୀ କାର୍ଯ୍ୟାଳୟରେ ବାରମ୍ବାର   ଗୁହାରି କରିବା ପରେ ତା ୨/୦୫/୨୦୨୫ ରିଖରେ ନବରଙ୍ଗପୁର ସିଏସଓ ୨୦ ଦିନ ମଧ୍ୟରେ ସମସ୍ତ ୩୪୪ ଚାଷୀଙ୍କ ଖାତାକୁ ଧାନ କିଣା ଟଙ୍କା ଆସିଯିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ୨୦ ଦିନର ଅପେକ୍ଷା ପରେ ସେମାନଙ୍କ ଖାତାକୁ ପଇସା ଆସିବା ତ ଦୂରର କଥା କୌଣସି ସରକାରୀ ସୂଚନା ମଧ୍ୟ ଚାଷୀ ଭାଇଙ୍କୁ ଏ ସଂକ୍ରାନ୍ତରେ ପ୍ରଦାନ କରାଗଲା ନାହିଁ । ସବୁଠାରୁ ବଡ ଦୁଃଖ ଓ ପରିତାପର ବିଷୟ ଯେ ରାଇଘର ବ୍ଲକର ଏହି ୩୪୪ ଜଣ ଚାଷୀ ଭାଇ  ତା ୨୩/୦୪/୨୦୨୫ ରିଖରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ବିଧିବଦ୍ଧ ଦାବୀ ଜଣାଇ ଅଡି ବସିରହିବାରୁ ନବରଙ୍ଗପୁର ଏସିଏସଓ ଶ୍ରୀ ମିଲନ କୁମାର ମାଝୀ ସାତ ଦିନ ମଧ୍ୟରେ ୩୪୪ ଜଣ ଚାଷୀଙ୍କର ପ୍ରାପ୍ୟ ଟଙ୍କା ଫେରସ୍ତ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯାହାକି ସେହି ସମୟରେ ଚାଷୀଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ଏକ ଚଞ୍ଚକତା ମାତ୍ର ଥିଲା। ସେବେଠାରୁ ଚାଷୀଭାଇ ମାନେ ସେମାନଙ୍କର ପ୍ରାପ୍ୟ ମୁତାବକ ପଇସାଟିଏ ନ ପାଇବାରୁ ବାଧ୍ୟ ହୋଇ  ପ୍ରାୟ ୬ ଦିନ ଧରି ରାଜଧାନୀର ରାଜରାସ୍ତାରେ ଖରା ବର୍ଷାରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ସୁଦୂର ନବରଙ୍ଗପୁରରୁ ନିଜ ଦାବୀ ଜଣାଇବାକୁ ଘର ଦ୍ବାର ଛାଡି ବହୁ ଖର୍ଚ୍ଚାନ୍ତ ହୋଇ ରାଜଧାନୀ ରାଜରାସ୍ତାରେ ନିରୀହ ଚାଷୀ ଭାଇମାନଙ୍କୁ ବସିରହିବାକୁ ବାଧ୍ୟ କରିଥିବା ମୋହନ ସରକାରଙ୍କର ଚାଷୀକୂଳ ପ୍ରତି ଘୋର ଅସମ୍ମାନକୁ କେବଳ ଉଜାଗର କରୁନି ବରଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ଶାସନ ତନ୍ତ୍ରର ବିଫଳତାକୁ ତୃଣମୂଳ ସ୍ତରରେ ଉଜାଗର କରୁଛି। କେବଳ ରାଇଘର ନୁହେଁ ରାଜ୍ୟର କୋଣ ଅନୁକୋଣରେ ଧାନ ସଂଗ୍ରହକୁ ନେଇ ସରକାରୀ ଅଧିକାରୀ ମାନଙ୍କ ଭାଗିଦାରୀରେ ହେଉଥିବା ଦୁର୍ନୀତିର ଅନେକ କେଳେଙ୍କାରୀ ହାଟରେ ପଡ଼ି ବାଟରେ ଗଡୁଛି। ୨୦୨୩- ୨୪ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଠାରୁ ୧୨ ଲକ୍ଷ ୬୦ ହଜାର ଟନ୍ ଧାନ ସଂଗ୍ରହ କରାଯାଇଥିଲା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ତାହା ୨୫ ଲକ୍ଷ ୭୮ ହଜାର ୪୪୭ ଟନରେ ପହଞ୍ଚିବା ସମସ୍ତଙ୍କୁ ବିସ୍ମିତ କରିବା ସହ ଏହି ଅତିରଞ୍ଜିତ ସରକାରୀ ତଥ୍ୟ ଅନେକ ଦୁର୍ନୀତିର ଆଭାସ ଦେଉଛି।

ଏଠାରେ ସ୍ଵତଃ ପ୍ରଶ୍ନ ଉଠୁଛି ଯେ କୃଷି ବିଭାଗ କି ପ୍ରକାର ସାର ବ୍ୟବହାର କଲା ଯେ ବର୍ଷକ ମଧ୍ୟରେ ଧାନ ଉତ୍ପାଦନ ଅଚାନକ ଦ୍ଵିଗୁଣିତ ହୋଇଗଲା ଏଭଳି ଧାନ ସଂଗ୍ରହର ମିଥ୍ୟା ପରିସଂଖ୍ୟାନ ଦେଇ କୋଟି କୋଟି ଟଙ୍କା ହଡପୁଥିବା ସରକାରୀ କଳର ଅଧିକାରୀ ମାନଙ୍କ କଳା କାରନାମାର ତଦନ୍ତ କରି ପର୍ଦ୍ଦାଫାଶ କରିବାପାଇଁ ସରକାଙ୍କ ନିକଟରେ ଆମ୍ ଆଦ୍‌ମୀ ପାର୍ଟି ଦାବୀ ଜଣାଉଛି। କ୍ଷମତା ପାଇବା  ପୂର୍ବରୁ କୃଷକଙ୍କ ସୁବିଧା ପାଇଁ ସରକାର ପ୍ରତିଶ୍ରୁତିର ଯେଉଁ ଡିଣ୍ଡିମ ପିଟୁଥିଲେ ତାହା କଣ କେବଳ କୁମ୍ଭୀର କାନ୍ଦଣା ଥିଲା କି ବୋଲି ଆମ୍ ଆଦମୀ ପାର୍ଟି ଆଜି ପ୍ରଶ୍ନ ପଚାରୁଛି ? ଜୟ ଯବାନ ଜୟ କିଶାନ ନାରା ଦେଉଥିବା ଡବଲ ଇଞ୍ଜିନ ସରକାର ଧାନ କିଣା ଟଙ୍କାକୁ ଗର୍ଭସ୍ଥ କରିବାଟା କେଉଁ ପ୍ରକାର ଚାଷୀ ଭାଇଙ୍କର  ଜୟ ବୋଲି ଆମ୍ ଆଦ୍‌ମୀ ପାର୍ଟି ପ୍ରଶ୍ନ କରୁଛି ? ଆପଣ ମାନଙ୍କୁ ଜଣାଇଦେବା ପାଇଁ ଚାହୁଁଛୁ ଯେଆମ୍ଆଦ୍‌ମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ  ଆମର ଅନେକ ରାଜ୍ୟ ନେତୃବୃନ୍ଦ ଚାଷୀ ଭାଇଙ୍କ ଧାରଣା ସ୍ଥଳରେ ପହଞ୍ଚି ସେମାନଙ୍କର ଦୁଃଖ ବାଣ୍ଟିବା ସହ ଚାଷୀ ଭାଇଙ୍କ ସମର୍ଥନରେ ଦଳ ସର୍ବଦା ଛିଡା ହୋଇ ରହିଛି ବୋଲି ଦୃଢ ଆଶ୍ଵାସନା ପ୍ରଦାନ କରିଥିଲେ। ଯେଉଁ ପର୍ଯ୍ୟନ୍ତ ରାଇଘର ବ୍ଲକର ୩୪୪ ଚାଷୀ ଭାଇଙ୍କର ପ୍ରାପ୍ୟ ଅର୍ଥ ସରକାର ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଆମ୍ ଆଦ୍‌ମୀ ପାର୍ଟି ସେମାନଙ୍କ ସହ କାନ୍ଧକୁ କାନ୍ଧ ମିଶେଇ ଛିଡା ହୋଇ ରହିଥିବାର ନିର୍ଭର ପ୍ରତିଶ୍ରୁତି ଦେଉଛି।

ଆମେ ଆଜି ଏହି ପ୍ରେସ୍ବାର୍ତ୍ତା ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଉଛୁ ଯେ ତୁରନ୍ତ ନିରୀହ ଚାଷୀ ଭାଇଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବା ସହ ଦୋଷୀକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ, ନଚେତ୍ ଚାଷୀକୂଳର ସମ୍ମାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ।

 ଆଜିର ପ୍ରେସ୍ ମିଟରେ ଆମ ଆଦ୍‌ମୀ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି  ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ  ସନ୍ଦୀପ୍ତ ଦାସ୍, ମୁଖ୍ୟ ପ୍ରବକ୍ତା ଶ୍ରୀ  ଲଲିତ୍ ମୋହନଦାଶଅଧିକାରି  ଏବଂ ଭୁବନେଶ୍ୱର  ସଭାପତି  ଶ୍ରୀ ଜୟସୂର୍ଯ୍ୟ କାନୁନଗୋପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.