ଧାନ ଚାଷୀଙ୍କ ଦୁର୍ଦ୍ଦଶା ଜଣାଇବାକୁ ଯାଇଥିବା ଆପ୍ ନେତାଙ୍କୁ ବିଜେପି ବିଧାୟକ ସହଯୋଗୀଙ୍କ ଆକ୍ରମଣ

Share It

ଭୁବନେଶ୍ୱର :  ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ବରଗଡ଼ର ଧାନ ଚାଷୀଙ୍କ ପ୍ରତି ମିଲର ମାଲିକମାନଙ୍କର ଅହେତୁକ ଶୋଷଣ, ଚାଷୀଙ୍କୁ ଧାନ ବିକ୍ରି ନିମନ୍ତେ ଦୀର୍ଘ ଦିନ ଧରି ଟୋକନ୍ ନ ମିଳିବା ଏବଂ କଟନି ଛଟନି ଭଳି ପ୍ରମୁଖ ସମସ୍ୟା ଜଣାଇବା ନିମନ୍ତେ ଗତକାଲି ଆମ୍ ଆଦମୀ ପାର୍ଟିର ବରଗଡ଼ ଜିଲ୍ଲା ଯୁବ ସଭାପତି ଶ୍ରୀ ଶାହରୁଖ ଲୋଧିଆ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଶୁଣିବା ପରିବର୍ତ୍ତେ ବିଧାୟକଙ୍କ ଅନୁପସ୍ଥିତିରେ ତାଙ୍କ ସମର୍ଥକମାନେ ଶ୍ରୀ ଲୋଧିଆଙ୍କୁ ଧମକ ଚମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳତଃ ଆପ୍ ନେତା ଶାହରୁଖଙ୍କର ଶରୀରର ବିଭିନ୍ନ ଅଙ୍ଗ ଗଭୀର ଭାବେ କ୍ଷତାକ୍ତ ହୋଇଥିଲା ।

ମରଣାନ୍ତକ ଆକ୍ରମଣ କରିଥିବା ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ଆକ୍ରମଣର ଶିକାର ହୋଇଥିବା ଶ୍ରୀ ଶାହରୁଖ ଲୋଧିଆଙ୍କୁ କାହା ନିର୍ଦ୍ଦେଶରେ ପୋଲିସ ଗିରଫ କରି ସଙ୍ଗୀନ ଦଫା ଲଗାଇଲା ତାହା ଏକ ବିରାଟ ପ୍ରଶ୍ନବାଚୀ ପାଲଟିଛି ? ଏଭଳି ସଙ୍ଗୀନ ଅପରାଧରେ ଲିପ୍ତ ଥିବା ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କର ସହଯୋଗୀମାନଙ୍କୁ କ୍ଲିନ୍ ଚିଟ୍ ଦେଇ ଚାଷୀଙ୍କ ସ୍ଵରକୁ ଉତ୍ଥାପନ କରିବାକୁ ଯାଇଥିବା ଯୁବ ନେତା ଶାହରୁଖଙ୍କ ପ୍ରତି ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଭଳି ଭାବେ ଦୋଷୀମାନଙ୍କୁ ଘଣ୍ଟ ଘୋଡାଇ ନିର୍ଦ୍ଦୋଷ ଶାହରୁଖଙ୍କୁ ପୋଲିସ ଗିରଫ କରିଛି ଏଥିରୁ ବିଧାୟକଙ୍କର ଉକ୍ତ ଘଟଣାରେ ସଂପୃକ୍ତି ଥିବାର ସ୍ପଷ୍ଟ ପ୍ରମାଣ ମିଳୁଛି । ସୂଚନାଯୋଗ୍ୟ ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା ବେଳେ କଟନି ଛଟନି ଆଳରେ ବହୁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ଧାନ ବିକ୍ରି ବାବଦରେ ୧୮୦୦ ରୁ ୨୦୦୦ ଟଙ୍କା ମିଳୁଛି । ଅନେକ ଚାଷୀଙ୍କୁ ଟୋକନ୍ ମିଳିପାରି ନାହିଁ ।

ଦଲାଲଙ୍କ କବଜାରେ ଧାନ ମଣ୍ଡି ଥିବାର ଅଭିଯୋଗ ହେଉଥିଲେ ମଧ୍ୟ ସରକାରୀ କଳର ବାବୁମାନେ କେଉଁ କାରଣରୁ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁଛନ୍ତି ତାହା ଅନେକ ସନ୍ଦେହର ଅବକାଶ ସୃଷ୍ଟି କରୁଛି । ସରକାରଙ୍କ ହାତ ବାରିଶି ସାଜି ମିଲ ମାଲିକ ଓ ସମବାୟ ସଂସ୍ଥା ବରଗଡ଼ର ଧାନ ଚାଷୀଙ୍କ ପ୍ରତି କରୁଥିବା ଜୁଲମର ପ୍ରତିବାଦରେ ସ୍ଵର ଉତ୍ତୋଳନ କରି ମରଣାନ୍ତକ ଆକ୍ରମଣର ଶିକାର ହୋଇ ବିନା ଦୋଷରେ ଜେଲ ଦଣ୍ଡ ଭୋଗୁଥିବା ଯୁବ ନେତା ଶ୍ରୀ ଶାହରୁଖ ଲୋଧିଆଙ୍କୁ ତୁରନ୍ତ ଖଲାସ କରିବାକୁ ଆମ୍ ଆଦମୀ ପାର୍ଟି ତରଫରୁ ଦାବି ଜଣାଉଛୁ ।

ଓଡ଼ିଶାରେ ବିଜେପି ସରକାରର ଏଭଳି ଗୁଣ୍ଡା ଓ ଅସାମାଜିକ ତତ୍ତ୍ଵଙ୍କୁ ପ୍ରୋତ୍ସାହନ ଦେବା ନୀତିକୁ ଆମ୍ ଆଦମୀ ପାର୍ଟି କଡ଼ା ଶବ୍ଦରେ  ନିନ୍ଦା କରିବା ସହ ଶାହରୁଖଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର ଏବଂ ଆକ୍ରମଣକାରୀ ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ  ଦାବି ଜଣାଉଛି l
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ସଭାପତି  ଶ୍ରୀ ରୁଚିର ରୁଦ୍ର ରଥ, ରାଜ୍ୟ ଯୁବ ଉପସଭାପତି ଶ୍ରୀ ସାଇ ଗୋପୀନାଥ ପଣ୍ଡା, ରାଜ୍ୟ ଯୁବ ସାଧାରଣ  ସମ୍ପାଦକ  ଶ୍ରୀ ରାକେଶ କୁମାର  ରାଉତ ଏବଂ ଶ୍ରୀ ସୁପ୍ରାଜ ଦିଗଲ ସାଧାରଣ ସମ୍ପାଦକ ଉତ୍ତର ବିଧାନସଭା   ପ୍ରମୁଖ ଯୋଗ ଦେଇଥିଲେ।


Share It

Comments are closed.