ପାରମ୍ପରିକ ଖାଦ୍ୟରେ ନୂଆ ଟ୍ୱିଷ୍ଟ: ବ୍ୟାସ ସରୋବର ମେଳାର ଷ୍ଟାର ‘ଅଣ୍ଡା କୁଲଫି’
ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ଅଂଚଳରେ ଗତ ୧୦ ଦିନ ଧରି ଚାଲିଆସୁଥିବା ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଆଜି ସଫଳତାର ସହ ଉଦଯାପିତ ହୋଇଛି। ୧୦୦ ରୁ ଅଧିକ ଷ୍ଟଲ ପଡ଼ିଥିବା ଏହି ମେଳାରେ ରଙ୍ଗିନ ଆଲୋକ, ଦୋଳି, ମନୋରଞ୍ଜନ ଓ ଭିଡ଼ ମଧ୍ୟରେ ଏବର୍ଷ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଲା ଏକ ଭିନ୍ନ ଓ ଅନନ୍ୟ ଖାଦ୍ୟ, ଅଣ୍ଡା କୁଲଫି।
ସାଧାରଣତଃ କୁଲଫି କହିଲେ ମନେ ପଡ଼େ ମିଠା ଓ ଥଣ୍ଡା କ୍ôଷରର କୁଲଫି, କିନ୍ତୁ ବ୍ୟାସନଗର ମେଳାରେ ଲୋକମାନେ ଦେଖିଥିଲେ ଏକ ସମ୍ପୂର୍ଣ୍ଣ ନୂଆ ଧାରଣା, ଯାହାକି ଥିଲା ଅଣ୍ଡାରେ ପ୍ରସ୍ତୁତ କୁଲଫି। ପ୍ରଥମେ ନାମ ଶୁଣି ଆଶ୍ଚର୍ୟ ହେଲେ ମଧ୍ୟ, ସ୍ୱାଦ ଚାଖିବା ପରେ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାର ଦିବାନା ହୋଇପଡ଼ିଥିଲେ।
ମେଳା ପରିସରରେ ଚାଟ୍, ଦହିବରା, ଗୁପଚୁପ ଭଳି ବିଭିନ୍ନ ପ୍ରକାର ଖାଦ୍ୟ ମିଳୁଥିବା ବେଳେ ଅଣ୍ଡା କୁଲଫି ସାମ୍ନାରେ ସବୁବେଳେ ଲୋକଙ୍କ ଭିଡ଼ ଜମିରହୁଥିଲା। ଅନେକେ କେବଳ ଏହି ଭିନ୍ନ ସ୍ୱାଦର କୁଲଫି ଚାଖିବା ପାଇଁ ମେଳାକୁ ଆସୁଥିବା ମଧ୍ୟ ଦେଖାଯାଇଥିଲା।
ଏହି ଅଣ୍ଡା କୁଲଫିର ଷ୍ଟଲ ଲଗାଇଥିଲେ ଯାଜପୁର ଜିଲ୍ଲା ହରିପୁର ଅଂଚଳର କୃପାସିନ୍ଧୁ ସାହୁ। ସେ କହିଛନ୍ତି ଯେ ଅଣ୍ଡା କୁଲଫି ମୂଖ୍ୟତଃ ଏକ କୋରିଆନ ଫୁଡ୍, ଯାହା ଏବେ ଭାରତରେ ଧୀରେ ଧୀରେ ଲୋକପ୍ରିୟ ହେଉଛି। ଏହି ଖାଦ୍ୟ ପ୍ରସ୍ତୁତି ପାଇଁ ସେ ସ୍ୱତନ୍ତ୍ର ଭାବେ ବାହାରୁ ଟ୍ରେନିଂ ନେଇ ଏହାକୁ ଓଡ଼ିଶାର ଲୋକମାନଙ୍କ ପାଖରେ ପହଂଚାଇଛନ୍ତି। ମାତ୍ର ୩୦ ଟଙ୍କା ଦରରେ ମିଳୁଥିବା ଏହି ଅଣ୍ଡା କୁଲଫି ଏବେ ବ୍ୟାସନଗର ମେଳାର ସବୁଠାରୁ ବଡ଼ ଫୁଡ୍ ଆକର୍ଷଣ ଭାବେ ପରିଚିତ ହୋଇପାରିଛି। ନୂଆ ସ୍ୱାଦ, ଭିନ୍ନ ଧାରଣା ଏବଂ କମ୍ ମୂଲ୍ୟ ଏହି ତିନୋଟି କାରଣରୁ ଅଣ୍ଡା କୁଲଫି ମେଳାର ଷ୍ଟାର ହୋଇପଡ଼ିଥିଲା।
Comments are closed.