ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେଡି

Share It

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଏପ୍ରିଲ ୧୩ରେ ଆରୁଅ ଗ୍ରାମରେ ହୋଇଥିବା ସଂଘବଦ୍ଧ ହିଂସାତ୍ମକ ଆକ୍ରମଣ ଘଟଣାରେ ସୋମବାର ବିଜୁ ଜନତା ଦଳ(ବିଜେଡି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଗତ ୧୦ ମାସ ମଧ୍ୟରେ ବଳବନ୍ତରାୟଙ୍କ ଉପରେ ୮ ଥର ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରିନାହିଁ। ଏସପି ଏବଂ ପଦସ୍ଥ ପୋଲିସ ଅଫିସରଙ୍କର ସଲାସୁତରାରେ ୩ ଜଣ ବ୍ୟକ୍ତିଙ୍କୁ ସରେଣ୍ଡର କରାଯାଇଛି, ଯେଉଁମାନଙ୍କର ଏ ଅପରାଧ ସହିତ ସମ୍ପୃକ୍ତି ନାହିଁ ବୋଲି ଦଳ କହିଛି। ଆକ୍ରମଣକାରୀଙ୍କ ଠାରୁ ଭୁଜାଲି, ଖଣ୍ଡା ପରି ମାରଣାସ୍ତ୍ର ସ୍ଥାନୀୟ ଆଇଆଇସି ନିଜେ ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଦଳ କହିଛି। ଘଟଣାସ୍ଥଳରୁ ବଳବନ୍ତରାୟ ଯାଜପୁର ଏସପିଙ୍କୁ ଫୋନ କରିଥିଲେ ମଧ୍ୟ ଏସପି ଫୋନ ଉଠାଇନଥିଲେ। ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳାର ଚରମ ଅଧୋଗତି ଘଟିଛି ଏବଂ ଏଥିପାଇଁ ଯାଜପୁର ପୋଲିସ ଦାୟୀକରି ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।
ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅରୁଣ ସାହୁ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ରାଉତ, ବିଶ୍ୱରଞ୍ଜନ ମଲ୍ଲିକ, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀ ସାମିଲ ଥିଲେ।


Share It

Comments are closed.