ଇରାନ ଯୁଦ୍ଧର ପ୍ରଭାବ: ପାଣି ପିଇବା ବି ହେବ ମହଙ୍ଗା, ବଢ଼ିଲାଣି ପାଣି ବୋତଲ ଦର

Share It

ଭୁବନେଶ୍ୱର : ଭାରତରେ ଧିରେ ଧିରେ ଗରମ ବଢିବାରେ ଲାଗିଲାଣି । ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର ହେଇଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । ଏହି ମଧ୍ୟରେ ଇରାନରେ ଚାଲିଥିବା ଭୀଷଣ ଯୁଦ୍ଧ ମଧ୍ୟରେ ପ୍ଲାଷ୍ଟିକ ଜାତୀୟ କଂଚାମାଲ ମିଳିବାରେ ଅସୁବଧା ହେଉଥିବାରୁ ପାଣି ବୋତଲ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡୁଛି ।
ଗତମାସରେ ବିସଲେରୀ ଭଳି ଅଗ୍ରଣୀ ପାଣିବୋତଲ ମ୍ୟାନୁଫ୍ୟାକଚରିଙ୍ଗ କମ୍ପାନୀ ପ୍ଲାଷ୍ଟିକ ପାଣି ବୋତଲ ଦର ଉପରେ ୧୧ ପ୍ରତିଶତ ବୃଦ୍ଧି କରିଥିବାରୁ ୧ ଲିଟର ପାଣିଥିବା ୧୨ଟି ବୋତଲ ଥିବା ପ୍ୟାଚ ୨୪ ଟଙ୍କା ମହଙ୍ଗା ହୋଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ, ବେଲି ଏବଂ କ୍ଲିୟର ପ୍ରିମିୟମ ଭଳି ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ନିଜର ପାଣି ବୋତଲ ଦାମ୍ ବଢ଼ାଇଛନ୍ତି ।
ଡେଟା ଫର୍ ଇଣ୍ଡିଆ’ର ଏକ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୧୫% ସହରୀ ଏବଂ ୬% ଗ୍ରାମାଞ୍ଚଳ ପରିବାର ପିଇବା ପାଣି ପାଇଁ ବୋତଲବନ୍ଦ ପାଣି ଉପରେ ନିର୍ଭର କରନ୍ତି । ଯଦିଓ ଏହା ଏକ ମହଙ୍ଗା ବିକଳ୍ପ, ବିଶେଷ କରି ଗାଁ ଗହଳିର ଲୋକଙ୍କ ପାଇଁ, ତଥାପି ଅନେକ ସ୍ଥାନରେ ସ୍ୱଚ୍ଛ ପିଇବା ପାଣିର ଅଭାବ ଯୋଗୁଁ ଲୋକେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ଭାରତର ଅନେକ ଭାଗରେ ସଫା ପାଣି ପାଇବା ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । ବିଶେଷ କରି ଖରାଦିନେ ପାଣିର ଅଭାବ, ଭୂତଳ ଜଳ ପ୍ରଦୂଷଣ ଏବଂ ସଠିକ୍ ବ୍ୟବସ୍ଥାର ଅଭାବ ଯୋଗୁଁ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଯାଏ । ବ୍ରାଣ୍ଡ୍ ଏବଂ ବୋତଲ ତିଆରି କରୁଥିବା କମ୍ପାନୀଗୁଡ଼ିକ ଚେତାବନୀ ଦେଉଛନ୍ତି କି, ଯଦି ଏହି ଯୁଦ୍ଧ ଅଧିକ ଦିନ ଚାଲେ, ତେବେ ପାଣି ଭଳି ଏକ ଜରୁରୀ ଜିନିଷର ଦାମ୍ ଏତେ ବଢ଼ିଯାଇପାରେ ଯେ ଅନେକ ଲୋକଙ୍କ ପାଇଁ ଏହାକୁ କିଣିବା କଷ୍ଟକର ହୋଇପଡ଼ିବ ।
ବିଶ୍ୱର ପ୍ରାୟ ୨୦% ତେଲ ଏବଂ ଗ୍ୟାସ୍ ଯୋଗାଣ ସାଧାରଣତଃ ‘ହର୍ମୁଜ ଷ୍ଟ୍ରେଟ୍‌\’ ଦେଇ ଯାଇଥାଏ, ଯାହାକୁ ବର୍ତମାନ ଇରାନ ପ୍ରାୟ ପୂରାପୂରି ବନ୍ଦ କରିଦେଇଛି । ଏହା ଦ୍ୱାରା ବିଶ୍ୱର ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି ଏବଂ ଜାଳେଣି ତେଲ ଦାମ୍ ହଠାତ୍ ବହୁତ ବଢ଼ିଯାଇଛି ।
ଭାରତ ନିଜର ଶକ୍ତି ବା ଇନ୍ଧନ ଆବଶ୍ୟକତା ପାଇଁ ବଡ଼ ପରିମାଣରେ ଆମଦାନୀ ଉପରେ ନିର୍ଭର କରେ, ତେଣୁ ଦେଶ ଉପରେ ଏହାର ଚାପ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ମହାରାଷ୍ଟ୍ର ବୋତଲବନ୍ଦ ପାଣି ପ୍ରସ୍ତୁତକାରୀ ସଂଘର ସଭାପତି ବିଜୟସିଂହ ଦୁବ୍ୱଲଙ୍କ ଅନୁସାରେ, ବୋତଲବନ୍ଦ ପାଣିର ଦାମ୍ ବଢ଼ିବା ପଛର ମୁଖ୍ୟ କାରଣ ହେଉଛି କଂଚା ତେଲ ଦରରେ ହୋଇଥିବା ପ୍ରବଳ ବୃଦ୍ଧି । ଏହି ସପ୍ତାହରେ କ୍ରୁଡ୍ ଅଏଲ୍ (କଚା ତେଲ) ର ଦାମ୍ ବ୍ୟାରେଲ୍ ପିଛା ୧୧୯ ଆମେରିକୀୟ ଡଲାରରେ ପହଂଚିଛି ।
ଆମେରିକା ଏବଂ ଇସ୍ରାଏଲ୍ ସହିତ ଇରାନର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଅଧିକ ଦର ମଧ୍ୟରୁ ଅନ୍ୟତମ । କଂଚା ତେଲକୁ ‘ପଲିଏଥିଲିନ ଟେରେଫଥେଲେଟ୍‌’ (ପିଇଟି) ରେଜିନ୍ ପେଲେଟ୍ସ ତିଆରି କରିବାରେ ବ୍ୟବହାର କରାଯାଏ । ଏହାକୁ ଗରମ କରି ଏବଂ ମୋଲ୍ଡରେ ପକାଇ (ପିଇଟି )ପ୍ରିଫର୍ମ ପ୍ରସ୍ତୁତ କରାଯାଏ, ଯାହା ଦେଖିବାକୁ ପ୍ଲାଷ୍ଟିକ୍ ଟେଷ୍ଟ ଟ୍ୟୁବ୍ ପରି ହୋଇଥାଏ । ପରେ ଏହିଗୁଡ଼ିକୁ ଭିନ୍ନ ଭିନ୍ନ ଆକାରର ବୋତଲରେ ରୂପାନ୍ତର କରାଯାଏ ।

ବିଜୟସିଂହ ଦୁବ୍ୱଲଙ୍କ କହିବା ଅନୁସାରେ, “ପ୍ରିଫର୍ମର ଦାମ୍ କିଲୋଗ୍ରାମ ପିଛା ୧୧୫ ଟଙ୍କାରୁ ବଢ଼ି ପ୍ରାୟ ୧୮୦ ଟଙ୍କା ହୋଇଯାଇଛି । ଏହା ସହିତ ଏହାର ଯୋଗାଣ ମଧ୍ୟ କମିଯାଇଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ରରେ ବୋତଲ ତିଆରି କରୁଥିବା ପ୍ରାୟ ୨୦% ୟୁନିଟ୍ (କାରଖାନା) ସାମୟିକ ଭାବେ ଉତ୍ପାଦନ ବନ୍ଦ କରିଦେଇଛନ୍ତି ।


Share It

Comments are closed.