୪୬ ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର; ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଳଙ୍କାର ଗଣତି
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ଓ ତାଲିକା ପ୍ରସ୍ତୁତି କାର୍ଯ୍ୟ ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମସ୍ତ ପ୍ରକ୍ରିୟା ସରକାରଙ୍କ ଦ୍ୱାରା ନିର୍ଧାରିତ ମାନକ ପରିଚାଳନା ପଦ୍ଧତି (SOP) ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରାଯିବ। ଦୀର୍ଘ ୪୬ ବର୍ଷ ଧରି ରତ୍ନଭଣ୍ଡାରର ଅଳଙ୍କାର ଗଣତି ହୋଇନଥିବା ବେଳେ ଏହି ଶୁଭ ମୁହୂର୍ତ୍ତ ବହୁ ସମୟ ପରେ ଆସିଛି। ଜଗନ୍ନାଥ ପ୍ରେମୀଙ୍କ ଭାବନା ଓ ବିଶ୍ୱାସକୁ ଦୃଷ୍ଟିରେ ରଖି ଏଥିପାଇଁ ଏକ ବିଶେଷଜ୍ଞ ଦଳ ନିୟୋଜିତ ହୋଇଛନ୍ତି।
ଗଣତିର ସମସ୍ତ କାର୍ଯ୍ୟର ଫଟୋଗ୍ରାଫି କରାଯିବ ଏବଂ ଭକ୍ତମାନଙ୍କର ପରମ୍ପରା ଓ ଦର୍ଶନ ଯେପରି ପ୍ରଭାବିତ ନହେବ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ରତ୍ନ ଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ କେବେ ସରିବ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ୧୯୭୮ ମସିହାର ତାଲିକା ଅନୁଯାୟୀ ଏହି ଗଣତି କରାଯିବ। ଏଥିରେ ଥିବା ଦୁର୍ଲଭ ରତ୍ନଗୁଡ଼ିକର ଚିହ୍ନଟ ପାଇଁ ଦଳରେ ଦୁଇଜଣ ରତ୍ନ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ଗତକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

Comments are closed.