ED ଚାପରେ ଇସ୍ତଫା ଦେଇଥିଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼; ସଞ୍ଜୟ ରାଉତଙ୍କ ପୁସ୍ତକ ‘ଅନଲାଇକଲି ପାରାଡାଇଜ୍‌’ରେ ବଡ଼ ଖୁଲାସା

Share It

ନୂଆଦିଲ୍ଲୀ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତଙ୍କ ନୂଆ ପୁସ୍ତକ ‘ଅନଲାଇକଲି ପାରାଡାଇଜ୍‌’ (Unlikely Paradise) ଏବେ ଦେଶର ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଏହି ପୁସ୍ତକରେ ଶ୍ରୀ ରାଉତ ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନେଇ ଏକ ବିସ୍ଫୋରକ ଦାବି କରିଛନ୍ତି। ରାଉତଙ୍କ ଅନୁଯାୟୀ, ଧନଖଡ଼ ଗତ ବର୍ଷ (୨୦୨୫) କୌଣସି ସ୍ୱେଚ୍ଛାକୃତ କାରଣରୁ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ର ଚାପରେ ପଡ଼ି ନିଜ ପଦରୁ ଇସ୍ତଫା ଦେଇଥିଲେ।

  • ଇଡି ଚାପର କାରଣ: ପୁସ୍ତକରେ ଦାବି କରାଯାଇଛି ଯେ, ଜଗଦୀପ ଧନଖଡ଼ ମୋଦୀ ସରକାରଙ୍କ ବିରୋଧରେ କିଛି ସ୍ୱତନ୍ତ୍ର ରାଜନୈତିକ ପଦକ୍ଷେପ ନେଉଥିଲେ। ଏଥିପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା। ଧନଖଡ଼ ଓ ତାଙ୍କ ପତ୍ନୀ ଜୟପୁରର ଏକ ଘର ବିକ୍ରି କରି ବିଦେଶକୁ ଟଙ୍କା ପଠାଇଥିବା ଅଭିଯୋଗରେ ଇଡି ଏକ ଫାଇଲ୍ ପ୍ରସ୍ତୁତ କରିଥିଲା, ଯାହା ଦେଖାଇ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ରାଉତ ଉଲ୍ଲେଖ କରିଛନ୍ତି।

  • ଅଶୋକ ଲଭାସାଙ୍କ ପ୍ରସଙ୍ଗ: ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲଭାସାଙ୍କ ବିଷୟରେ ମଧ୍ୟ ଏହି ବହିରେ ଚାଞ୍ଚଲ୍ୟକର ତଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବିରୋଧରେ ସ୍ୱର ଉଠାଇଥିବାରୁ ଲଭାସା ଓ ତାଙ୍କ ପରିବାରକୁ ଇଡି ଜରିଆରେ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି।

  • ଶରଦ ପାୱାର ଓ ପିଏମ ମୋଦୀ: ପୁସ୍ତକରେ ଦାବି କରାଯାଇଛି ଯେ, ଗୁଜରାଟ ଦଙ୍ଗା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗିରଫ କରାଯିବାର ଚର୍ଚ୍ଚା ହେଉଥିବା ବେଳେ ଶରଦ ପାୱାର ଏହାର ବିରୋଧ କରିଥିଲେ। ପାୱାରଙ୍କ ଯୁକ୍ତି ଥିଲା ଯେ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ କେବଳ ରାଜନୈତିକ ମତଭେଦ ପାଇଁ ଜେଲ ପଠାଇବା ଉଚିତ ନୁହେଁ।

ସୂଚନାଯୋଗ୍ୟ ଯେ, ସଞ୍ଜୟ ରାଉତ ଏହି ପୁସ୍ତକଟି ଜେଲରେ ଥିବା ସମୟରେ ଲେଖିଥିଲେ। ୨୦୨୫ରେ ଏହା ମରାଠୀ ଭାଷାରେ ପ୍ରକାଶ ପାଇଥିବା ବେଳେ ନିକଟରେ ଏହାର ଇଂରାଜୀ ସଂସ୍କରଣ ଉନ୍ମୋଚିତ ହୋଇଛି। ଏହି ଅଭିଯୋଗଗୁଡ଼ିକ ଉପରେ ଏପର୍ଯ୍ୟନ୍ତ ବିଜେପି କିମ୍ବା ପୂର୍ବତନ ଉପରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Share It

Comments are closed.