୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍‌ ହେଉଥିଲା ରାସନ

Share It

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ରାସନ ବଣ୍ଟନ ବ୍ୟବସ୍ଥାରେ ଗୁରୁତର ଅନିୟମିତତା ସାମ୍ନାକୁ ଆସିଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପ୍ରାୟ ୭ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଲୁଟ ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାସହ ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତି ମଧ୍ୟ ରାସନ କାର୍ଡ ହାସଲ କରିଥିବା ତଥ୍ୟ ମିଳିଛି।

ସରକାରଙ୍କ ମତାନୁସାରେ, ପୂର୍ବତନ ସରକାର ସମୟରେ ଏହିପରି ଚଞ୍ଚକତା ଚାଲିଥିଲା। ନୂଆ ସରକାର ଗଠନ ପରେ ରାସନ କାର୍ଡ ତଥ୍ୟକୁ ସଠିକ୍ କରିବା ପାଇଁ ଇ-କେୱାଇସି (e-KYC) ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏହି ଯାଞ୍ଚ ପ୍ରକ୍ରିୟା ସମୟରେ ଏହି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁଯାୟୀ, ଗତ ୨ ବର୍ଷ ମଧ୍ୟରେ ୩୪ ହଜାର ୯୩୯ ଅଯୋଗ୍ୟ ରାସନ କାର୍ଡଧାରୀଙ୍କ କାର୍ଡ ବାତିଲ କରାଯାଇଛି। ଏହି କାର୍ଡଗୁଡ଼ିକରେ ମୋଟ ୧ ଲକ୍ଷ ୨୫ ହଜାର ୯୬୩ ଜଣ ପରିବାର ସଦସ୍ୟ ଥିଲେ।

ଏହାସହ ଯାଞ୍ଚ ସମୟରେ ୭ ଲକ୍ଷ ୭୫ ହଜାର ୦୬୪ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କ ନାଁ ଏପର୍ଯ୍ୟନ୍ତ ରାସନ କାର୍ଡ ତଥ୍ୟାବଳୀରେ ରହିଥିଲା। ପରେ ସେମାନଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଛି।ଏହି ସମସ୍ତ ତଥ୍ୟ ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ପ୍ରକାଶ ପାଇଛି। ସରକାର କହିଛନ୍ତି ଯେ, ରାସନ ବଣ୍ଟନ ବ୍ୟବସ୍ଥାକୁ ପାରଦର୍ଶୀ କରିବା ପାଇଁ ଆଗକୁ ମଧ୍ୟ ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଜାରି ରହିବ।


Share It

Comments are closed.