ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

Share It

ଭୁବନେଶ୍ଵର,୧୧/୦୩:କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଚଢାଉ ଜାରି ରହିଛି। ଏହି ଚଢାଉ ସମୟରେ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ସହିତ ମୋଟ ୭ଟି ସ୍ଥାନରେ ଏକକାଳୀନ ତଲାଶି ଅଭିଯାନ ଚଲାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ସହିଦନଗରରେ ଥିବା ତାଙ୍କର ଏକ ତିନି ମହଲା ଆବାସିକ କୋଠାରେ ଭିଜିଲାନ୍ସ ଅଧିକାରୀମାନେ ତଲାଶି କରୁଛନ୍ତି। ଏହା ସହିତ ପୁରୀ ଜିଲ୍ଲାର ଗଡିଶଗଡା ଗାଁରେ ଥିବା ପୈତୃକ ଘରରେ ମଧ୍ୟ ତଦନ୍ତ ଚାଲିଛି। ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, କଟକ ଜିଲ୍ଲା କଣ୍ଟାପଡାରେ ଥିବା ତାଙ୍କର ଅଫିସ୍ ଚାମ୍ବର ଏବଂ ସରକାରୀ କ୍ୱାଟର୍ସରେ ମଧ୍ୟ ଚଢାଉ ଜାରି ରହିଛି।

ଏହାସହ କେନ୍ଦ୍ରାପଡାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାଶି କରୁଛି।ଚଢାଉ ସମୟରେ ବିଭିନ୍ନ ଦଲିଲ, ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଓ ସମ୍ପତ୍ତି ସଂପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ଭାବେ କେତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେଥିପାଇଁ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଇଛି।


Share It

Comments are closed.