କ୍ଷମା ମାଗିଲା NCERT
ଭୁବନେଶ୍ଵର,୧୦/୦୩:ଅଷ୍ଟମ ଶ୍ରେଣୀର ନୂତନ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶିତ “The Role of Judiciary in Our Society” ଶୀର୍ଷକ ଚାପ୍ଟରକୁ ନେଇ ବିବାଦ ସୃଷ୍ଟି ହେବା ପରେ NCERT ପକ୍ଷରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ସଂସ୍ଥାର ନିର୍ଦ୍ଦେଶକ ଓ ସଦସ୍ୟମାନେ ଏହି ଅଧ୍ୟାୟର କିଛି ଅଂଶ ଉପରେ ଉଠିଥିବା ଆପତ୍ତିକୁ ଗୁରୁତର ସହ ନେବା ସହ ଦୁଃଖ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିକୁ ବଜାରରୁ ଫେରାଇ ନିଆଯାଇଥିବା ବିଷୟରେ NCERT ପକ୍ଷରୁ ଏକ ଅଧିକୃତ ବିବୃତ୍ତି ଜାରି କରାଯାଇଛି। ସଂସ୍ଥା କହିଛି ଯେ ବିବାଦୀୟ ଅଧ୍ୟାୟ ସହିତ ଏହି ପୁସ୍ତକ ବର୍ତ୍ତମାନ ବଜାରରେ ଉପଲବ୍ଧ ନୁହେଁ ଏବଂ ଏହାକୁ ପୁନଃ ସମୀକ୍ଷା କରାଯିବ।
ଏହି ଅଧ୍ୟାୟର କିଛି ବିଷୟବସ୍ତୁକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। କୋର୍ଟର ମତ ଥିଲା ଯେ, ଏହା ନ୍ୟାୟପାଳିକାର ଛବିକୁ କ୍ଷତିଗ୍ରସ୍ତ କରିପାରେ ଏବଂ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥାଇପାରେ ବୋଲି ମଧ୍ୟ କଡ଼ା ମତ ପ୍ରକାଶ କରାଯାଇଥିଲା।
ଏହା ସହିତ ସୁପ୍ରିମକୋର୍ଟ ଶିକ୍ଷା ବିଭାଗ ସଚିବ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ଏହି ବହିର ପ୍ରଚାର ଓ ବ୍ୟବହାର ଉପରେ ରୋକ୍ ଲଗାଇଥିଲା।
ବିବାଦ ବଢ଼ିବା ପରେ NCERT ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ଅଧ୍ୟାୟର ବିଷୟବସ୍ତୁକୁ ପୁନଃ ପ୍ରକାଶ କରାଯିବ।

Comments are closed.