ଭୁବନେଶ୍ଵର,୦୮/୦୩:ଏପରି ତ ଆମ ଜୀବନରେ ଥିବା ପ୍ରତିଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ। କିନ୍ତୁ ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।କେବେ ମା’ ଭାବରେ, କେବେ ଭଉଣୀ ଭାବରେ ତ କେବେ ଜଣେ ପତ୍ନୀ ଭାବରେ । ତେଣୁ ପୂରା ବିଶ୍ବର ମହିଳାମାନଙ୍କ ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରତି ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପୂରା ବିଶ୍ଵ ପାଳନ କରୁଛି ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି, Give to Gain । ସମଗ୍ର ବିଶ୍ୱରେ ମହିଳାଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ପାଳନ କରାଯାଏ ଏହି ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ ।
କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ । ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ମହିଳାଙ୍କ ସମାନ ଅଧିକାର ଦେବା ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ ବାର୍ତ୍ତା ଦେଉଛି । ସେମାନଙ୍କର ମଧ୍ୟ ସମାଜରେ ପୁରୁଷଙ୍କ ଭଳି ମୁଣ୍ଡ ଟେକି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ।
ଆନ୍ଦୋଳନରୁ ଆରମ୍ଭ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ:
ଏହି ଦିବସ ପାଳନ କରିବା ପଛର ଇତିହାସରୁ ଜଣାପଡ଼େ ଯେ ୧୯୦୮ ମସିହାରେ ପ୍ରଥମେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସର ପ୍ରାରମ୍ଭ ହୋଇଥିଲା । ଏହି ଦିନର ପ୍ରାରମ୍ଭ ହୋଇଥିଲା ଏକ ଆନ୍ଦୋଳନ ଭାବରେ। ୧୯୦୮ରେ ଆମେରିକାର ନ୍ୟୁୟର୍କରେ ପାଖାପାଖି ୧୫ ହଜାର ମହିଳା ମାର୍ଚ୍ଚ କରି ଚାକିରି କ୍ଷେତ୍ରରେ କମ୍ ସମୟ, ଅଧ୍ୟକ ପରିମାଣରେ ଅର୍ଥ ଓ ଭୋଟିଂର ଅଧ୍ୟାକାର ପାଇଁ ଦାବି କରିଥିଲେ । ଏହାର ଏକ ବର୍ଷ ପରେ ପ୍ରଥମେ ଆମେରିକାର ସୋସିଆଲିଷ୍ଟ ପାର୍ଟିର ଆହ୍ବାନକ୍ରମେ ଏହି ଦିବସକୁ ୨୮ ଫେବୃଆରୀ, ୧୯୦୯ରେ ରାଷ୍ଟ୍ରୀୟ ସ୍ତରରେ ପାଳନ କରାଯାଇଥିଲା । ପରେ ୧୯୧୦ରେ କୋପେନହେଗନ୍ ସମ୍ମିଳନୀରେ ଏହାକୁ ଅନ୍ତଃରାଷ୍ଟ୍ରୀୟ ଦିବସ ଭାବରେ ମାନ୍ୟତା ଦିଆଗଲା ।

Comments are closed.