ଆଜି ଚନ୍ଦ୍ରଗ୍ରହଣ: କିପରି ପାଳନ କରିବେ? କ’ଣ ଭୋଜନ ନିଷେଧ?

Share It

ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଘଟୁଛି। ଏହି ଗ୍ରହଣ ଓଡ଼ିଶା ସହିତ ଭାରତର କିଛି ଅଂଶରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ତେବେ ଦିନବେଳାରେ ସଂପୂର୍ଣ୍ଣ ଗ୍ରହଣ ଘଟୁଥିବାରୁ ଏହା ସିଧାସଳଖ ଦେଖିବାକୁ ମିଳିବ ନାହିଁ।ତେବେ ଏହି ସମୟରେ ଜାଣନ୍ତୁ କିପରି କରିବେ ପାଳନ ? କ’ଣ ଖାଇବେ, କ’ଣ ପିଇବେ ?

ଗ୍ରହଣର ସମୟସୂଚୀ
ଆଂଶିକ ଗ୍ରହଣ ଆରମ୍ଭ – ଦିବା ୩ଟା ୨୦
ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ – ଦିବା ୪ଟା ୩୪
ସଂପୂର୍ଣ୍ଣ ଗ୍ରହଣ ଶେଷ – ଅପରାହ୍ଣ ୫ଟା ୩୨ (ସୂର୍ଯ୍ୟାସ୍ତ ପୂର୍ବରୁ, ତେଣୁ ଦୃଶ୍ୟ ନୁହେଁ)
ଚନ୍ଦ୍ରୋଦୟ – ସଂଧ୍ୟା ୫ଟା ୫୦ (ଗ୍ରହଣ ଲାଗିଥିବା ଅବସ୍ଥାରେ)
ଆଂଶିକ ଗ୍ରହଣ ଶେଷ / ସର୍ବମୋକ୍ଷ – ସଂଧ୍ୟା ୬ଟା ୪୭
ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ସମୟରେ ଗ୍ରହଣ ଲାଗିଥିବା ଅବସ୍ଥାରେ ଦୃଶ୍ୟ ହେବ। ଏହା ଗ୍ରହଣର ଶେଷ ଆଂଶିକ ପର୍ଯ୍ୟାୟ ହେବ।ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଓ ଗ୍ରସ୍ତୋଦୟ କ୍ଷେତ୍ରରେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନ ନିଷେଧ।
ଗ୍ରସ୍ତୋଦୟ ହେତୁ ସୂର୍ଯ୍ୟୋଦୟଠାରୁ ହାଣ୍ଡିଛାଡ଼ ଓ ଦେବନୀତି ନିଷିଦ୍ଧ।ପ୍ରାତଃପୂଜା ଭୋର ୫ଟା ୫୦ ପୂର୍ବରୁ ସମାପ୍ତ କରିବା ଉଚିତ।

କ’ଣ ଖାଇପାରିବେ?
ଦିନମାନ ଭିତରେ ଚୁଡ଼ା, ମୁଢ଼ି, ଖଇ, ଗୁଡ଼, କଦଳୀ ଆଦି ଖାଇପାରିବେ।ପଇଡ଼ (ନାରିକେଳ ପାଣି), ଦହି, ଲେମ୍ବୁ ସର୍ବତ୍ ମଧ୍ୟ ପିଇପାରିବେ।

ଗ୍ରହଣ ପରେ କ’ଣ କରିବେ?
ସଂଧ୍ୟା ୬ଟା ୪୭ ପରେ ସ୍ନାନ କରି ଠାକୁରମାନଙ୍କୁ ମହାସ୍ନାନ କରାଇ ସଂଧ୍ୟା ପୂଜା, ରୋଷେଇବାସ ଆଦି କରିପାରିବେ।ସ୍ନାନ ଓ ଦାନାଦି କାର୍ଯ୍ୟ ପ୍ରଥମ ଦର୍ଶନ ପରେ ଓ ସର୍ବମୋକ୍ଷ ପରେ କରାଯାଏ।ଛୋଟ ପିଲା, ବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଏହି ନିୟମ କଠୋର ଭାବେ ପାଳନ ବାଧ୍ୟତାମୂଳକ ନୁହେଁ।

ଜ୍ୟୋତିଷ ମତ
ଜ୍ୟୋତିର୍ବିଦ୍‌ମାନଙ୍କ ମତାନୁସାରେ ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ରାଶିର ଏବଂ ୨, ୫, ୧୧, ୧୪, ୨୦ ଓ ୨୩ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ମନାଯାଏ। ଅନ୍ୟମାନଙ୍କ ପାଇଁ ଶୁଭ ମନାଯାଏ। ତେବେ ପ୍ରଥମ ଦର୍ଶନ ପାଇଁ କୌଣସି ବାରଣ ନାହିଁ।


Share It

Comments are closed.