ସାଉଦି ଆରବର ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଡ଼: ଇରାନର ଶାହେଦ-୧୩୬ ଦ୍ୱାରା ଆକ୍ରମଣ

Share It

ନୂଆଦିଲ୍ଲୀ: ସୋମବାର ସକାଳେ ସାଉଦି ଆରବର ପ୍ରମୁଖ ଶକ୍ତି କେନ୍ଦ୍ର ରାସ୍ ତନୁରାସ୍ଥିତ ସାଉଦି ଆରାମକୋ ତୈଳ ବିଶୋଧନାଗାର ଉପରେ ଇରାନର ଶାହେଦ-୧୩୬ ଡ୍ରୋନ୍ ମାଡ଼ ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟ ଏବଂ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପରେ ବିଶୋଧନାଗାରକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଡ୍ରୋନ୍ ମାଡ଼ ଯୋଗୁଁ ଘଟଣାସ୍ଥଳରେ ସାମାନ୍ୟ ନିଆଁ ଲାଗିଥିଲେ ମଧ୍ୟ ତାହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି ଏବଂ ଏଥିରେ କୌଣସି ଜୀବନହାନି ହୋଇଥିବା ସୂଚନା ମିଳିନାହିଁ। ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଇରାନ ପକ୍ଷରୁ ଗଲ୍ଫ ଦେଶ ଏବଂ ଇସ୍ରାଏଲ ଉପରେ କ୍ରମାଗତ ଭାବେ ହେଉଥିବା ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣର ଏହା ଏକ ଅଂଶ ବୋଲି କୁହାଯାଉଛି।

ସାଉଦି ଆରବର ପୂର୍ବ ପ୍ରଦେଶରେ ଅବସ୍ଥିତ ‘ରାସ୍ ତନୁରା’ ବିଶ୍ୱର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ତୈଳ ରପ୍ତାନି କେନ୍ଦ୍ର ଭାବେ ଜଣାଶୁଣା, ଯାହାକୁ ସାଉଦି ଆରାମକୋ କମ୍ପାନୀ ପରିଚାଳନା କରୁଛି। ଅଶୋଧିତ ତୈଳ ଉତ୍ପାଦନ ଏବଂ ବିଶୋଧନ କ୍ଷେତ୍ରରେ ଏହି କେନ୍ଦ୍ରର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଏଠାରେ ଦୈନିକ ପ୍ରାୟ ୫ ଲକ୍ଷ ୫୦ ହଜାର ବ୍ୟାରେଲରୁ ଅଧିକ ତୈଳ ବିଶୋଧନ କରାଯାଇଥାଏ। ଏହି କେନ୍ଦ୍ର ମାଧ୍ୟମରେ ବିଶ୍ୱ ବଜାରକୁ ଲକ୍ଷ ଲକ୍ଷ ବ୍ୟାରେଲ୍ ତୈଳ ରପ୍ତାନି କରାଯାଉଥିବାରୁ ଏହା ବିଶ୍ୱ ଶକ୍ତି ଯୋଗାଣର ଏକ ମୁଖ୍ୟ ମାଧ୍ୟମ ପାଲଟିଛି। ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏଠାରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସିଆ, ୟୁରୋପ ଏବଂ ଆମେରିକା ଭଳି ବଡ଼ ବଜାରକୁ ତୈଳ ଯୋଗାଣ ପାଇଁ ଏହା ଏକ ଅପରିହାର୍ଯ୍ୟ କେନ୍ଦ୍ର ହୋଇଥିବାରୁ, ଏଠାରେ କୌଣସି ପ୍ରକାର ବାଧା ସୃଷ୍ଟି ହେଲେ ତାହା ବିଶ୍ୱ ବଜାରରେ ତୈଳ ଦର ଉପରେ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି।


Share It

Comments are closed.