ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ
ଭୁବନେଶ୍ଵର,୦୧/୦୩:ଚଳିତବର୍ଷ ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କରିଛନ୍ତି। ବିଭାଗ ଅନୁସାରେ ଏହି ଅବଧିରେ ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ। ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଜଟିଳ ହେବ। ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ବଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ।
ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇପାରେ। ଏଣୁ ଦିନରେ ଲୋକେ ଗରମରେ ସନ୍ତୁଳି ହୋଇ ରାତିରେ ବି ତ୍ରାହି ପାଇବେନି। ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳ ଓ ଅନ୍ୟ ସ୍ଥାନରେ ରାତିର ତାପମାତ୍ରା ସ୍ୱଭାବିକ ଅଥବା ତା ଠାରୁ କମ ରହିପାରେ। ଦିନ ଓ ରାତି ଉଭୟ ଗରମ ରହିବା ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ବିଶେଷ କରି ବୟଷ୍କ ଓ ପିଲାଙ୍କ ସମେତ ରୋଗ ଗ୍ରସ୍ତ ଲୋକେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଆଇଏମଡି ଚଳିତବର୍ଷ ହିଟ୍ ୱେଭ ଦିନ ସଂଖ୍ୟା ବଢିପାରେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

Comments are closed.