ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ
ଭୁବନେଶ୍ୱର ୨୭/୦୨:ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି । ଉକ୍ତ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ଥିବା ମାମଲା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ପାନୀୟ ଜଳ ଓ ଟେଲିଫୋନ୍ ଅନାଦେୟ, ବ୍ୟାଙ୍କ ଋଣ ଖିଲାପି/ ଅନାଦେୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନି ମାମଲାର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯାଇ ପାରିବ ।
ଲୋକଅଦାଲତରେ ମୋକଦ୍ଦମା ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ । ଏହି ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ଓ ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ସମାଧାନ ହୁଏ, ତେବେ ପୂର୍ବରୁ ପଇଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ପାଇବାର ବିଧି ବ୍ୟବସ୍ଥା ରହିଛି । ଦୀର୍ଘଦିନରୁ ଚାଲି ରହିଥିବା ମାମଲାଗୁଡ଼ିକର ସହଜ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ବର୍ତ୍ତିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶଦିଆଯାଇଛି ।
Comments are closed.