ଟି-୨୦ ବିଶ୍ୱକପ୍: ଭାରତଠାରୁ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ମହାଭାରତ; ଶାଦାବଙ୍କୁ ଆଫ୍ରିଦିଙ୍କ କଡ଼ା ସମାଲୋଚନା- “ପୁଅ, ପ୍ରଥମେ ଭଲ ପ୍ରଦର୍ଶନ କର”

Share It

ଚଳିତ ଟି-୨୦ ବିଶ୍ୱକପରେ (୨୦୨୬) କଲମ୍ବୋଠାରେ ଭାରତ ବିପକ୍ଷରେ ୬୧ ରନର ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଦଳର ଖରାପ ପ୍ରଦର୍ଶନକୁ ନେଇ ପୂର୍ବତନ କ୍ରିକେଟର ଏବଂ ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରେ କାଦୁଅ ଫିଙ୍ଗା ନୀତି ଜାରି ରହିଛି। ବିଶେଷ କରି ଅଲରାଉଣ୍ଡର ଶାଦାବ ଖାନ ଏବଂ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ମଧ୍ୟରେ ଚାଲିଥିବା ଖୋଲା ବାକ୍‌ଯୁଦ୍ଧ ଏବେ କ୍ରିକେଟ୍ ଜଗତରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

 ଭାରତଠାରୁ ପରାସ୍ତ ହେବା ପରେ ଶାହିଦ ଆଫ୍ରିଦି, ମହମ୍ମଦ ୟୁସୁଫ ଏବଂ ସକଲେନ ମୁସ୍ତାକଙ୍କ ଭଳି ପୂର୍ବତନ ଦିଗ୍ଗଜମାନେ ପାକିସ୍ତାନ ଦଳର କଡ଼ା ସମାଲୋଚନା କରିଥିଲେ। ଆଫ୍ରିଦି ଏକ ଟିଭି ଶୋ’ରେ ବାବର ଆଜମ, ଶାହିନ ଆଫ୍ରିଦି ଏବଂ ଶାଦାବ ଖାନଙ୍କ ଭଳି ସିନିୟର ଖେଳାଳିଙ୍କୁ ଦଳରୁ ବାଦ୍ ଦେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଦାବି କରିଥିଲେ। ସେହିପରି ମହମ୍ମଦ ୟୁସୁଫ ମଧ୍ୟ କହିଥିଲେ ଯେ, ୨୦୨୧ରେ ଭାରତକୁ ହରାଇବା ପରେ ଦଳ ଭିତରେ ଅହଂକାର ପଶିଯାଇଛି ଏବଂ ଖେଳାଳିମାନେ କୋଚ୍‌ମାନଙ୍କ କଥା ନଶୁଣି କେବଳ ମୋବାଇଲ୍ ଫୋନ୍‌ରେ ବ୍ୟସ୍ତ ରହୁଛନ୍ତି।

ଶାଦାବଙ୍କ ବିବାଦୀୟ ବୟାନ: ଏହି ସମାଲୋଚନାରେ ଉତକ୍ଷିପ୍ତ ହୋଇ ଶାଦାବ ଖାନ ନାମିବ୍ୟା ବିପକ୍ଷ ବିଜୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, “ଆମକୁ ସମାଲୋଚନା କରୁଥିବା ପୂର୍ବତନ ଦିଗ୍ଗଜମାନେ ନିଜ ସମୟରେ କେବେବି ବିଶ୍ୱକପରେ ଭାରତକୁ ହରାଇ ପାରିନଥିଲେ। କିନ୍ତୁ ଆମେ ହିଁ ଏକମାତ୍ର ଦଳ ଯିଏ ୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ପରାସ୍ତ କରିଥିଲୁ।” ଶାଦାବଙ୍କ ଏହି ଅହଂକାରପୂର୍ଣ୍ଣ ବୟାନ ପୂର୍ବତନ ଖେଳାଳିମାନଙ୍କୁ ବେଶ୍ ଆଘାତ ଦେଇଥିଲା।

ଆଫ୍ରିଦିଙ୍କ କଡ଼ା ଜବାବ: ଶାଦାବଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଶାହିଦ ଆଫ୍ରିଦି। ସେ କହିଛନ୍ତି, “ଶାଦାବ ଠିକ୍ କହୁଛନ୍ତି, ଆମେ ଭାରତକୁ ହରାଇ ନଥିଲୁ, ସେମାନେ ୨୦୨୧ରେ ହରାଇଥିଲେ। ସେତେବେଳେ ସେମାନଙ୍କୁ ବହୁତ ସମ୍ମାନ ମିଳିଥିଲା, କିନ୍ତୁ ସେମାନେ ସେହି ସମ୍ମାନକୁ ସମ୍ଭାଳି ପାରିଲେ ନାହିଁ।”

ଆଫ୍ରିଦି ଆହୁରି ମଧ୍ୟ ଚେତାବନୀ ଦେଇ କହିଛନ୍ତି, “ଶାଦାବ ମିଆଁ, ନାମିବ୍ୟା ଭଳି ଛୋଟ ଦଳ ବିପକ୍ଷରେ ନୁହେଁ ବରଂ ନ୍ୟୁଜିଲାଣ୍ଡ ଭଳି ବଡ଼ ଦଳ ବିପକ୍ଷରେ ନିଜର ଦକ୍ଷତା ଦେଖାଅ। ପୁଅ, ପ୍ରଥମେ ପଡ଼ିଆରେ ଭଲ ପ୍ରଦର୍ଶନ କର, ତା’ହେଲେ ଆମେ ନିଜେ ତୁମର ପ୍ରଶଂସା କରିବୁ ଆଉ ସମାଲୋଚନା ଆପଣାଛାଏଁ ବନ୍ଦ ହୋଇଯିବ।”

ପାକିସ୍ତାନ କ୍ରିକେଟ୍ ବୋର୍ଡର (PCB) କାର୍ଯ୍ୟାନୁଷ୍ଠାନ: ଏହି ଘଟଣା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଶାଦାବଙ୍କ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ପୂର୍ବତନ ଦିଗ୍ଗଜ ତଥା ନିଜ ଶ୍ୱଶୁର ସକଲେନ ମୁସ୍ତାକଙ୍କ ସମେତ ଅନ୍ୟ ସିନିୟର ଖେଳାଳିଙ୍କ ପ୍ରତି ଏପରି ଭାଷା ବ୍ୟବହାର କରିଥିବାରୁ ଦଳର ମ୍ୟାନେଜମେଣ୍ଟ ଶାଦାବଙ୍କୁ କଡ଼ା ଚେତାବନୀ ଦେଇଛି ଏବଂ ଭବିଷ୍ୟତରେ ଏଭଳି ମନ୍ତବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।


Share It

Comments are closed.