ଶୋଇବା ପୂର୍ବରୁ ପାଦ ଧୋଇବା କାହିଁକି ଆବଶ୍ୟକ ?ଜାଣନ୍ତୁ ଏହାର କାରଣ
ଶରୀରର ସବୁଠାରୁ ସକ୍ରୀୟ ଅଙ୍ଗ ପାଦ । ଏଥିରେ 26ଟି ହାଡ 33ଟି ଜଏଣ୍ଟ ଓ 100ରୁ ଅଧିକ ମାଂସପେଷୀ ଓ ଟେଣ୍ଡନ୍ସ ରହିଛି । ଆମ ଶରୀରର ଓଜନ ପାଦ ବହନ କରୁଥିଲେ ବି ଅନେକ ଏହାର ଯତ୍ନ ନିଅନ୍ତି ନାହିଁ । କେହି କେହି ପାଦକୁ ରାତିରେ ଧୋଇ ଶୋଉଥିବା ବେଳେ ଅନେକ ଲୋକ ଏହା ମଧ୍ୟ କରନ୍ତି ନାହିଁ । ବିଶେଷଜ୍ଞମାନେ କୁହନ୍ତି ପାଦ ଅଧା ଧୋଇବା ଓ ରାତିରେ ନଧୋଇକି ଶୋଇବା ଅନେକ ସମସ୍ୟା ସୃଷ୍ଟି କରିପାରେ ।
କାହିଁକି ପାଦ ଧୋଇବା ଜରୁରୀ:
ଦିଲ୍ଲୀର ଏକ ମଲ୍ଟି ସ୍ପେଶାଲିଟି ସେଣ୍ଟରର ପେଡିଆଟ୍ରିଷ୍ଟ ଡକ୍ଟର ଗୋବିନ୍ଦ ସିଂହ ବିଷ୍ଟଙ୍କ ଅନୁଯାୟୀ, ଯଦି ଆପଣ ଶୋଇବା ପୂର୍ବରୁ ପାଦ ନଧୁଅନ୍ତି ତେବେ ବିଛଣା ଜୀବାଣୁଙ୍କ ପାଇଁ ଏକ ବାସସ୍ଥାନ ପାଲଟିବ । ତେଣୁ ଶୋଇବା ପୂର୍ବରୁ ଯେପରି ମୁହଁ ଓ ହାତକୁ ଶଫା କରୁଛନ୍ତି ସେହିପରି ପାଦକୁ ଭଲଭାବେ ସଫା କରିବା ଉଚିତ । କାରଣ ଘର ଭିତର ଓ ବାହାରୁ ମାଟି, ଜୀବାଣୁ ଏବଂ କ୍ଷୁଦ୍ର ଧୂଳି କଣିକା ପାଦରେ ସହଜରେ ପ୍ରବେଶ କରିପାରେ । ଦିନ ସାରା ଜୋତା ପିନ୍ଧିବା ଦ୍ବାରା ପାଦ ଝାଳ ହୋଇଥାଏ, ଯାହା ଦ୍ବାରା ଜୀବାଣୁ ଜମିରହେ । ଶୋଇବା ପୂର୍ବରୁ ନଧୋଇଲେ ଏହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ ।
କେଉଁ ସମସ୍ୟାର ସମ୍ମୁଖୀନ ହେବେ:
ମଇଳା ପାଦରେ ଶୋଇବା ଦ୍ବାରା ଜୀବଣୁ ଏବଂ ଫଙ୍ଗଲ ସଂକ୍ରମଣ ହୋଇପାରେ । ଏହା ପାଦର ଚର୍ମ ସମସ୍ୟା ସୃଷ୍ଟି କରିପାରେ । ଯେପରି କୁଣ୍ଡାଇ ହେବା, ଲାଲା ପଡିଯିବା, ପାଦ ଫାଟିବା, ଫୋଟକା ଏବଂ ଫୁଲିବା । ଏହି ଲକ୍ଷଣ ଗୁଡିକ ବିଶେଷ କରି କ୍ରୀଡାବିତ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କଠାରେ ଦେଖାଦେଇଥାଏ, କାହିଁକିନା ଏମାନେ ଅଧିକ ସମୟ ଜୋତା ପିନ୍ଧିଥାନ୍ତି ।
କଣ ସତର୍କତା ଅବଲମ୍ବନ କରିବେ ?
ପାଦକୁ ସୁସ୍ଥ ଓ ନରମ ରଖିବା ପାଇଁ ପ୍ରତିଦିନ 2 ଥର ଭଲ ଭାବେ ଧୁଅନ୍ତୁ ।
ଶୋଇବା ପୂର୍ବରୁ ପାଦ ଶଫା କରିବାକୁ ଭୁଲନ୍ତୁ ନାହିଁ ।
ସପ୍ତାହକୁ ଅତି କମ୍ 2 ଥର ଉଷୁମ ପାଣିରେ ପାଦ ବୁଡାଇବା ଆବଶ୍ୟକ ।
ଏହା ଜଏଣ୍ଟ ଓ ମସଲ୍ସକୁ ଆରାମ ଦେବ । ଯାହା ଦ୍ବାରା ଭଲ ନିଦ୍ରା ମଧ୍ୟ ହେବ ।
ମଧୁମେହ ରୋଗୀ ମାନେ ପାଦର ଅଧିକ ଯତ୍ନ ନେବା ଜରୁରୀ । କାରଣ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।
Comments are closed.