ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆରମ୍ଭ ହେଲ ବାକଯୁଦ୍ଧ, ସୂର୍ଯ୍ୟକୁମାରଙ୍କ ଏକତରଫା ମ୍ୟାଚ ବୟାନକୁ ନିନ୍ଦା କଲେ ଫରହାନ
କଲମ୍ବୋ: ଆସନ୍ତା ଫେବୃଆରୀ ୧୫ ତାରିଖରେ ଟି-୨୦ ବିଶ୍ୱକପ୍ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମୁକାବିଲା ପୂର୍ବରୁ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ “ଏକତରଫା ମ୍ୟାଚ୍” ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ସାହିବଜାଦା ଫରହାନ।
ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ କୌଣସି ପ୍ରତିଦ୍ୱନ୍ଦ୍ୱିତା (Rivalry) ନାହିଁ କାରଣ ଭାରତୀୟ ଦଳ କ୍ରମାଗତ ଭାବେ ପାକିସ୍ତାନକୁ ହରାଉଛି ଏବଂ ମ୍ୟାଚଗୁଡିକ ଏକତରଫା ହେଉଛି।
ଏହି ବୟାନର ଜବାବ ଦେଇ ସାହିବଜାଦା ଫରହାନ କହିଛନ୍ତି ଯେ, “ମୁଁ ସୂର୍ଯ୍ୟକୁମାରଙ୍କ କଥାରେ ଏକମତ ନୁହେଁ। ଗତ ଏସିଆ କପ୍ରେ ଆମେ ଯେଭଳି ଖେଳିଥିଲୁ, ତାହା ଆଦୌ ଏକତରଫା ନଥିଲା। ଆମ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲା।”
ଫରହାନ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଏହି ମ୍ୟାଚକୁ ଏକ ସାଧାରଣ ମ୍ୟାଚ୍ ଭଳି ଦେଖୁଛୁ ଏବଂ ଏଥର ଏକ ଭିନ୍ନ ମାନସିକତା ସହ ପଡିଆକୁ ଓହ୍ଲାଇବୁ। ଆମେ ବିଶ୍ୱାସ ରଖିଛୁ ଯେ ଆଗାମୀ ମ୍ୟାଚ୍ରେ ଆମେ ଭଲ ପ୍ରଦର୍ଶନ କରିବୁ।”
ସୂଚନାଯୋଗ୍ୟ ଯେ, ଆମେରିକା ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିବା ପରେ ପାକିସ୍ତାନ ଦଳର ଆତ୍ମବିଶ୍ୱାସ ବଢିଛି। ଫରହାନ ନିଜେ ସେହି ମ୍ୟାଚରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ବର୍ତ୍ତମାନ ଫେବୃଆରୀ ୧୫ରେ ହେବାକୁ ଥିବା ମହାମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି।
Comments are closed.