ଭୁବନେଶ୍ୱରରେ ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

Share It

ଭୁବନେଶ୍ୱର,୧୦/୦୨: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର (BPSPA) ପରିସରରେ ଆଜି ପୂର୍ବାହ୍ନ ୧୧ଟାରେ ‘ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ’ ଶିବିର ଉଦଘାଟିତ ହୋଇଯାଇଛି। ପୋଲିସ ଏଡିଜି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଝାରସୁଗୁଡ଼ା, ରାଉରକେଲା, ଜୟପୁର (କୋରାପୁଟ) ଏବଂ ଉତ୍କେଲା (କଳାହାଣ୍ଡି) ବିମାନବନ୍ଦରରୁ ମୋଟ ୪୦ ଜଣ ପୋଲିସ ସୁରକ୍ଷା କର୍ମୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।



ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସଞ୍ଜୟ କୁମାର ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାର ସହ ପ୍ରଶିକ୍ଷଣ ନେଇ ସମଗ୍ର ଦେଶରେ ଏକ ଆଦର୍ଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ‘ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି’ (BCAS)ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ବାକ୍ସଲା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣର ବିଭିନ୍ନ ବୈଷୟିକ ଦିଗ ବିଷୟରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଡ଼ିଶା ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶିକା ଶ୍ରୀମତୀ ଦେବଦତ୍ତା ସୁରଞ୍ଜିତା ଜେନା, ଏସପି ଶ୍ରୀ ୟୁ.ଏସ୍. ମିଶ୍ର, ବିମାନ ଚଳାଚଳ ପରାମର୍ଶଦାତା ଶ୍ରୀ ସୁରେଶ ଚନ୍ଦ୍ର ହୋତା ଉପସ୍ଥିତ ଥିଲେ। ଉପ-କମାଣ୍ଡେଣ୍ଟ ଶ୍ରୀ ଲଳିତେନ୍ଦୁ ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Share It

Comments are closed.