ରାଜସ୍ବ ବିଭାଗରେ ଶେଷ ହେଲା ମଧ୍ୟସ୍ଥି ଯୁଗ, ଗୋଟିଏ କ୍ଲିକ୍‌ରେ ମିଳିବ ସମସ୍ତ ସେବା

Share It

ଭୁବନେଶ୍ୱର,୦୫/୦୨: ରାଜସ୍ବ ସେବାକୁ ଅଧିକ ସରଳ, ସ୍ୱଚ୍ଛ ଓ ଲୋକମୁଖୀ କରିବା ଦିଗରେ ଓଡ଼ିଶା ସରକାର ଆଉ ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜସ୍ବ ସେବା ପାଇଁ ଲୋକଙ୍କୁ ଆଉ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ, ନା ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବାକୁ ହେବ।ରାଜ୍ୟରେ ଆଧିକାରିକ ଭାବେ ‘ଆମ ସାଥି ସହାୟକ’ ୟୁନିଫାଏଡ଼ WhatsApp ଚାଟ୍‌ବଟ୍ ଉନ୍ମୋଚିତ ହୋଇଛି। ଲୋକସେବା ଭବନରେ ଏହି ନୂତନ ଡିଜିଟାଲ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

WhatsAppରେ ମିଳିବ ୧୭୦ରୁ ଅଧିକ ସରକାରୀ ସେବା

ଏଣିକି 9437292000 WhatsApp ନମ୍ବରକୁ ମେସେଜ୍ କଲେ ଘରେ ବସି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କେନ୍ଦ୍ରିକ ସେବା ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ଉପଲବ୍ଧ ହେବ।ଜମି ସମ୍ପର୍କିତ ସେବା,ପ୍ରମାଣପତ୍ର ଆବେଦନ,ରାଜସ୍ବ ଅଭିଯୋଗ,ବିପର୍ଯ୍ୟୟ ସହାୟତା ସୂଚନା ,ସମସ୍ତ ସେବା ୨୪ ଘଣ୍ଟା ଉପଲବ୍ଧ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ସେବାରେ ବ୍ୟାଘାତ ହେଲେ ହେବ ଅଭିଯୋଗ
WhatsApp ଚାଟ୍‌ବଟ୍ ମାଧ୍ୟମରେ ସେବା ପାଇବାରେ କୌଣସି ବ୍ୟାଘାତ ହେଲେ, ଆବେଦନକାରୀ ସିଧାସଳଖ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ। ଏହାଦ୍ୱାରା ସେବାର ଗୁଣବତ୍ତା ଓ ଦାୟିତ୍ୱବୋଧ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୭ଟି ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି। ଏହା ଫଳରେ ଜମି ନିବନ୍ଧନ ସେବା ଆହୁରି ସହଜ ଓ ଲୋକମୁଖୀ ହେବ।

ଏହି ଡିଜିଟାଲ୍ ପଦକ୍ଷେପ ସହିତ ରାଜ୍ୟରେ ମଧ୍ୟସ୍ଥି-ମୁକ୍ତ ରାଜସ୍ବ ବ୍ୟବସ୍ଥାର ଆରମ୍ଭ ହୋଇଥିବା କୁହାଯାଉଛି, ଯାହା ଲୋକଙ୍କ ସମୟ, ଟଙ୍କା ଓ ହେନସ୍ତାରୁ ରକ୍ଷା କରିବ।


Share It

Comments are closed.