କୋରାପୁଟ ହେଲା ନକ୍ସଲମୁକ୍ତ
କୋରାପୁଟ,୦୫/୦୨: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ । କୋରାପୁଟ ଜିଲ୍ଲା ଆଜିଠୁ ସରକାରୀଭାବେ ନକ୍ସଲମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏନେଇ ଭୁବନେଶ୍ୱରରେ ହୋଇଥିବା ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡାକ୍ତର କନୱର ବିଶାଳ ସିଂହ।
ଡିଆଇଜି ସୂଚନା ଦେଇ କହିଛନ୍ତି ଯେ, ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିବା ପରେ କୋରାପୁଟ ଜିଲ୍ଲାରେ ଆଉ କୌଣସି ସକ୍ରିୟ ମାଓବାଦୀ ରହିନାହାନ୍ତି। ଏହା ସହ କୋରାପୁଟକୁ ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି।
ପୋଲିସ ଅନୁସାରେ, ମମତା ପଡ଼ିଆମି ତାଙ୍କ ନିକଟରୁ ଗୋଟିଏ ରାଇଫଲ ଓ ୧୦ ପ୍ରକାରର ବିଭିନ୍ନ ଗୋଳାବାରୁଦ ସହ ଆତ୍ମସମର୍ପଣ କରିଛନ୍ତି। ସେ ୨୦୨୩ ମସିହାରେ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ଘଟିଥିବା ଅନେକ ହତ୍ୟା ଓ ମାଓବାଦୀ ହିଂସା ମାମଲାରେ ଜଡିତ ଥିବା ପୋଲିସ କହିଛି।ଡିଆଇଜି କନୱର ବିଶାଳ ସିଂହ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଓ ପୁନର୍ବାସ ଯୋଜନାରେ ଅନୁପ୍ରାଣିତ ହୋଇ ମମତା ଆତ୍ମସମର୍ପଣ କରିଛନ୍ତି। ଏହା ମାଓବାଦ ଦମନରେ ସରକାର ଓ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି।
କୋରାପୁଟ ଜିଲ୍ଲା ନକ୍ସଲମୁକ୍ତ ହେବା ପରେ ଅଞ୍ଚଳରେ ବିକାଶ କାର୍ଯ୍ୟ, ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି ପୋଲିସ ପ୍ରଶାସନ ଆଶା ପ୍ରକାଶ କରିଛି।
Comments are closed.