ବଦଳିଲା UPSC ନିୟମ: ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ବ୍ୟବସ୍ଥା

Share It

ନୂଆଦିଲ୍ଲୀ,୦୫/୦୨:ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ସମ୍ବନ୍ଧରେ କେନ୍ଦ୍ର ସରକାର ନୂଆ ଏବଂ କଡ଼ା ନିୟମ ଜାରି କରିଛନ୍ତି। ଏହାଫଳରେ ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ରହିବ ନାହିଁ। ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ IAS କିମ୍ବା IFS ସେବାରେ ନିଯୁକ୍ତ ହୋଇସାରିଛନ୍ତି, ସେମାନେ CSE–2026 ପରୀକ୍ଷା ଦେଇପାରିବେ ନାହିଁ।
ତଥାପି, ପୂର୍ବରୁ IPS ସେବା ପାଇଥିବା ପ୍ରାର୍ଥୀମାନେ ପୁଣି ଥରେ UPSC ପରୀକ୍ଷା ଦେଇପାରିବେ। କିନ୍ତୁ ସେମାନେ ପୁଣିଥରେ IPS ସେବା ପାଇଁ ଆବେଦନ କରିବାକୁ ଅନୁମତି ପାଇବେ ନାହିଁ।
ନୂଆ ବ୍ୟବସ୍ଥା ଅନୁଯାୟୀ, 2026 ପରୀକ୍ଷାରେ ଚୟନିତ ପ୍ରାର୍ଥୀମାନେ ଅବଶ୍ୟ ଟ୍ରେନିଂରେ ଯୋଗ ଦେବାକୁ ପଡ଼ିବ। ଯଦି ସେମାନେ 2027 ମସିହାରେ ପୁଣି ପରୀକ୍ଷା ଦେବାକୁ ଇଚ୍ଛୁକ ହୁଅନ୍ତି, ତେବେ ସେମାନଙ୍କୁ କେବଳ ଫାଉଣ୍ଡେସନ୍ କୋର୍ସ କରିବାକୁ ହେବ। ଅନ୍ୟାନ୍ୟ ଟ୍ରେନିଂରୁ ଛାଡ଼ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ହେବ।
ସେହିପରି, 2028 କିମ୍ବା ତା’ ପରେ ପୁଣିଥରେ UPSC ପରୀକ୍ଷା ଦେବାକୁ ଚାହୁଁଥିବା ପ୍ରାର୍ଥୀମାନେ ନିଜ ପୂର୍ବ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ। ତେବେ, 2025 କିମ୍ବା ତା’ ପୂର୍ବରୁ କୌଣସି ସେବା ପାଇଥିବା ପ୍ରାର୍ଥୀମାନଙ୍କୁ ଶେଷଥର ପାଇଁ 2026 କିମ୍ବା 2027 ମସିହାରେ ବିନା ଇସ୍ତଫା UPSC ପରୀକ୍ଷା ଦେବା ସୁଯୋଗ ଦିଆଯାଇଛି।
ସରକାରଙ୍କ ନିୟମ ଅନୁସାରେ, ଏହି ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ଚାକିରି ପାଇବା ପରେ ପ୍ରାର୍ଥୀମାନେ କେବଳ ପରୀକ୍ଷା ପଛରେ ନ ପଡ଼ି ନିଜ କାର୍ଯ୍ୟଦାୟିତ୍ୱରେ ଯୋଗ ଦିଅନ୍ତୁ ଏବଂ ସରକାରୀ ସିଟ୍‌ଗୁଡ଼ିକ ନଷ୍ଟ ନ ହେଉ।


Share It

Comments are closed.