୬ରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ
ଭୁବନେଶ୍ୱର,୦୩/୦୨:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆନୁକୂଲ୍ୟରେ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ ଆସନ୍ତା ୬ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ଧଉଳି ପାହାଡ଼ର ପାଦ ଦେଶରେ ପାଳିତ ହେବ।

ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ଆସିଥିବା ଖ୍ୟାତିସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ।ଚଳିତ ବର୍ଷ ନାଟ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରାଯିବ। ସେହିଭଳି ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ, ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଶ୍ରୀ ଲଳିତ ମାନସିଂହଙ୍କୁ ଓଡ଼ିଆ କଳା–ସଂସ୍କୃତିର ପ୍ରଚାର ଓ ପ୍ରସାରରେ ତାଙ୍କ ଅନନ୍ୟ ଅବଦାନ ପାଇଁ ‘ସ୍ବର୍ଣ୍ଣ ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ।
ଏହା ସହ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାରି ଜଣ କଳାକାରଙ୍କୁ ସମ୍ମାନିତ କରାଯିବ। ପୁରସ୍କାର ସ୍ବରୂପ ସମ୍ମାନିତମାନଙ୍କୁ ୧ ଲକ୍ଷ ଟଙ୍କା ନଗଦ, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।ଶାନ୍ତି, ଅହିଂସା ଓ ସାଂସ୍କୃତିକ ଐକ୍ୟର ବାର୍ତ୍ତା ଦେଉଥିବା ଧଉଳି–କଳିଙ୍ଗ ମହୋତ୍ସବ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।
Comments are closed.