ସରିଲା ପ୍ରଥମ ପର୍ଯ୍ୟାୟ ଯାତ୍ରା ,ଦ୍ୱିତୀୟ ପର୍ଯ୍ୟାୟ ନାଟକର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟ ମଣ୍ଡପ

Share It

ଭୁବନେଶ୍ଵର,୦୨/୦୨: ଖଣ୍ଡଗିରି କୁମ୍ଭମେଳାରେ ଚାଲିଥିବା ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ଏବେ ଦର୍ଶକଙ୍କ ଆଗ୍ରହ ଓ ଉତ୍ସାହ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପାଳି ଯାତ୍ରା। ସୋମବାର ଅର୍ଥାତ୍ ଆଜି ରାତିଠାରୁ ଖଣ୍ଡଗିରିର ବିଭିନ୍ନ ପେଣ୍ଡାଲ ଓ ମଞ୍ଚରେ ସେକେଣ୍ଡ ଇନିଂସର ରୋମାଞ୍ଚକ ନାଟକ ଦେଖିବାକୁ ମିଳିବ।

ସନାତନ ସେବା ସମିତି ପେଣ୍ଡାଲରେ କୋଣାର୍କ ଗଣନାଟ୍ୟର ଯାତ୍ରା ସମାପ୍ତ ହେବା ପରେ, ସେହି ମଞ୍ଚରେ ଆଜିଠୁ ସୂର୍ଯ୍ୟମନ୍ଦିର ଗଣନାଟ୍ୟ ତାଙ୍କର ନାଟକ ମଞ୍ଚସ୍ଥ କରିବ। ଅନ୍ୟପଟେ, ଇନ୍ଦିରା ସାଂସ୍କୃତିକ ଯୁବ ସମିତି ପେଣ୍ଡାଲରେ ସିଂହବାହିନୀ ଗଣନାଟ୍ୟର ପରେ ଆଜିଠାରୁ ଦର୍ଶକଙ୍କୁ ଆକର୍ଷିତ କରିବ ଶିବାନୀ ଗଣନାଟ୍ୟ।
ସେହିପରି ଜାଗମରା ମେଳଣ ପଡ଼ିଆରେ ରାଜ ଦରବାର ଯାତ୍ରାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟମଣ୍ଡପ ମଞ୍ଚରେ ଧୁମ୍ ମଚାଇବ। ତାଙ୍କ ଆଗମନକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି।

ଇନ୍ଦ୍ର ଭୁବନର ସୁପରହିଟ୍ ନାଟକ ‘ନଅଙ୍କ ଦୁର୍ଭିକ୍ଷ’ ରେ ଦମଦାର ଅଭିନୟ କରିଥିବା ବିନୋଦ ବେବିନା ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ସମରରୁ ବିଦାୟ ନେଇଛନ୍ତି। ତାଙ୍କ ପରେ ଆଗାମୀ ଦିନରେ କଳିଙ୍ଗ ଗଣନାଟ୍ୟ ମଞ୍ଚକୁ ଆସିବାର ସମ୍ଭାବନା ରହିଛି।
ଅନ୍ୟଦିଗରେ, ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ୟ ପଛଲା ଦୁଇ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଛି। ଆଜି ଏହାର ତୃତୀୟ ରଜନୀ ହେବାକୁ ଥିବା ବେଳେ, ତୁଳସୀ ଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ପେଣ୍ଡାଲରେ ନାଟକ ଜାରି ରହିବ।

ପ୍ରଥମ ପର୍ଯ୍ୟାୟରେ ପୀୟୁଷଙ୍କ ଅଭିନୀତ ‘ତୁ ମୋ ବଜରଙ୍ଗୀ’ ନାଟକ ଖୁବ ଚର୍ଚ୍ଚାରେ ଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ପାର୍ଟି ଓ କେଉଁ ନାଟକ ଦର୍ଶକଙ୍କ ମନ ଜିତିବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଖଣ୍ଡଗିରି ଯାତ୍ରା ମଞ୍ଚ ଉପରେ ରହିଛି।


Share It

Comments are closed.