ଭୁବନେଶ୍ଵର,୦୨/୦୨:ରାଜ୍ୟର ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ମହିଳାମାନଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍ ପ୍ରଦାନ କରାଯିବ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତିକୁ ଆଧୁନିକ ଏବଂ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ ଏହାକୁ ନୂଆ ରୂପ ଦିଆଯିବ। ଏହାର ଅଂଶ ସ୍ୱରୂପ, ମହିଳାମାନଙ୍କୁ ସରକାରୀ କାର୍ଯ୍ୟ, ଅନଲାଇନ୍ ଟ୍ରାଞ୍ଜାକ୍ସନ୍, ସୂଚନା ଆଦାନ-ପ୍ରଦାନ ଓ ଡିଜିଟାଲ୍ ସେବା ସହ ଯୋଡ଼ିବାକୁ ସ୍ମାର୍ଟ ଫୋନ୍ ଦିଆଯିବ।
ସେହିପରି, ମିଶନ ଶକ୍ତି ମହିଳାଙ୍କ ପାଇଁ ଡ୍ରେସ୍ କୋଡ୍ରେ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ନୂଆ ଡ୍ରେସ୍ କୋଡ୍ ଆସନ୍ତା ଉତ୍କଳ ଦିବସ (୧ ଏପ୍ରିଲ) ଠାରୁ ଲାଗୁ ହେବ। ଏଥିରେ ମିଶନ ଶକ୍ତି ମହିଳାଙ୍କୁ ଏକ ସମନ୍ୱିତ ଓ ପରିଚୟମୂଳକ ଆଭା ମିଳିବ ବୋଲି କୁହାଯାଇଛି।
ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି କେବଳ ଏକ ଯୋଜନା ନୁହେଁ, ଏହା ରାଜ୍ୟର ଲକ୍ଷାଧିକ ମହିଳାଙ୍କ ପାଇଁ ଆତ୍ମନିର୍ଭରତାର ମାଧ୍ୟମ। ସ୍ମାର୍ଟ ଫୋନ୍ ଓ ଆଇଡି କାର୍ଡ ମାଧ୍ୟମରେ ମହିଳାମାନେ ସରକାରୀ ଯୋଜନା, ବ୍ୟାଙ୍କିଂ ସେବା, ଅନଲାଇନ୍ ଟ୍ରେନିଂ ଓ ଆର୍ଥିକ କାର୍ଯ୍ୟକଳାପ ସହ ସହଜରେ ଯୋଡ଼ିପାରିବେ।
ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ମିଶନ ଶକ୍ତି ମହିଳାଙ୍କ ପାଇଁ ଏକ ବଡ଼ ଆଶ୍ୱାସନ ଓ ସଶକ୍ତିକରଣର ନୂଆ ଅଧ୍ୟାୟ ବୋଲି ଦେଖାଯାଉଛି।
Comments are closed.