ଖଣ୍ଡଗିରି ମାଘମେଳାରେ ମଶାରୀ ବାବା
ଭୁବନେଶ୍ଵର ,୦୧/୦୨ : ଆଜି ଖଣ୍ଡଗିରି କୁମ୍ଭମେଳାର ଶେଷ ଦିନ। ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗୁଛି। ପ୍ରାତଃରୁ ହୋମଯଜ୍ଞ ଚାଲୁଥିବା ବେଳେ ସାରୁ ରାତ୍ରି ପର୍ଯ୍ୟନ୍ତ ବେଦମନ୍ତ୍ର, ଜଣାଣ, ଭଜନ କୀର୍ତ୍ତନରେ ଖଣ୍ଡଗିରି ପରିବେଶ ପ୍ରକମ୍ପିତ ହେଉଛି। ତେବେ ଏହାରି ଭିତରେ ଖଣ୍ଡଗିରିରେ ରହିଛନ୍ତି ମଶାରୀ ବାବା ଓ ପ୍ରେମରେ ବିଫଳ ହୋଇଥିବା ସନ୍ୟାସୀ
ପ୍ରେମରେ ବିଫଳ ହୋଇ ଚାକିରି ଛାଡ଼ି ସନ୍ନ୍ୟାସ
ପ୍ରେମରେ ବିଫଳତା ଜଣେ ଯୁବକଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି। ପିଲାବେଳୁ ଈଶ୍ୱର ଓ ଆଧ୍ୟାତ୍ମିକ ମାର୍ଗରେ ଥିଲେ। ଭଲ ପାଠ ବି ପଢ଼ୁଥିଲେ। ରେଲ୍ଓ୍ବେ ଚାକିରି ବି କରିଥିଲେ। ହେଲେ ସମୟକ୍ରମେ ଜଣେ ଯୁବତୀଙ୍କ ଗଭୀର ପ୍ରେମରେ ପଡିଯାଇଥିଲେ। କିନ୍ତୁ ପ୍ରେମରେ ବିଫଳ ହେବା ପରେ ସେ ଚାକିରି ଛାଡି ଆଧ୍ୟାତ୍ମିକ ମାର୍ଗକୁ ବାଛିଲେ, ଆଉ ହୋଇଗଲେ ସନ୍ୟାସ। ସେ ହେଉଛନ୍ତି ବାବା ପଞ୍ଚାୟତି ନିରଞ୍ଜନ ଆଖଡ଼ା। ଦୀର୍ଘ ୪୦ ବର୍ଷ ଧରି ସନ୍ନ୍ୟାସ ଜୀବନରୁ ଶାନ୍ତି ପାଉଥିବାବେଳେ ପ୍ରତିବର୍ଷ ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା କହିଛନ୍ତି। ଏଥିସହ ସେ ବିଭିନ୍ନ ଅଧ୍ୟାତ୍ମିକ ମେଳା, ମହୋତ୍ସବକୁ ଯାଇଥାନ୍ତି। ମେଳା ନ ଥିବା ସମୟରେ ପୁରୀ ଗୁରୁ ଆଶ୍ରମ ଲଙ୍ଗୁଳି ମଠରେ ରୁହନ୍ତି।
ଚର୍ଚ୍ଚାରେ ମଶାରୀ ବାବା
ମଶାରୀ ଭିତରେ ସାଧନା କରୁଛନ୍ତି ବାବା।ଉତ୍ତରପ୍ରଦେଶରୁ ଆସି ଖଣ୍ଡଗିରି କୁମ୍ଭମେଳାରେ ସାଧନା କରୁଛନ୍ତି ବାବା ବଳରାମ ଦାଶ।ପ୍ରାୟ ୪୦ବର୍ଷ ଧରି ସେ ଏପରି ତପ କରୁଛନ୍ତି।ତାଙ୍କର କହିବା ମୁତାବକ, ସେ ଜଣେ ସ୍ବତନ୍ତ୍ର ମଣିଷ। ସଂସାର, ଦୁନିଆରୁ ପୂରା ଅଲଗା ରହୁଛନ୍ତି। ମଣିଷଠାରୁ ଦୂରେଇ ରହିବାକୁ ମଶାରୀ ଭିତରେ ରହୁଛନ୍ତି।

Comments are closed.