ଏସଆଇଆର ଦ୍ଵାରା ଗଣତନ୍ତ୍ର ସୁଦୃଢ଼ ହେବ : ରାଜ୍ୟ ନିର୍ବାଚନ ଆୟୁକ୍ତ
ଭୁବନେଶ୍ୱର, ୨୫ ଜାନୁଆରୀ : ଲୋକସେବା ଭବନ ସମ୍ମିଳନୀ କକ୍ଷ ଠାରେ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଦିବସ ରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। ଅଧିକରୁ ଅଧିକ କେମିତି ମତଦାନ ହେଇପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ସହରାଞ୍ଚଳ ଭୋଟ ହାର ବଢ଼େଇବା ଉପରେ ଗୁରୁତ୍ୱ ଦେଇଥିଲେ।
୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ରେ ୪୫ପ୍ରତିଶତରୁ କମ ମତଦାନ ହୋଇଥିଲା, ଆଗାମୀ ନିର୍ବାଚନରେ କିପରି ଏହା ଅଧିକ ହେଇପାରିବ ଏବଂ ଯେଉଁମାନଙ୍କ ବୟସ ୧୮ ବର୍ଷ ହେଇଥିବ ସେମାନେ ଭୋଟର ତାଲିକାରେ ନିଶ୍ଚିତ ନାମ ପଞ୍ଜିକରଣ କରନ୍ତୁ। ଗଣତନ୍ତ୍ର ରାଷ୍ଟ୍ର ନିମନ୍ତେ ସେମାନେ ନିରପେକ୍ଷ ଭାବେ ନିଜର ମତ ସାବ୍ୟସ୍ତ କରନ୍ତୁ। ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପ୍ରକିୟାରେ ଭାଗନେଇ ନିଜର ନାମକୁ ଭୋଟର ତାଲିକାରେ ନିଶ୍ଚିତକରନ୍ତୁ ଏବଂ ଦୈତ କିମ୍ବା ଦୁପ୍ଲିକେଟ ଭୋଟର ହେବାରୁ ନିବୃତ୍ତ ରହିବାକୁ ଶ୍ରୀ ପାଢ଼ୀ ନିଜର ବକ୍ତବ୍ୟରେ ଦୋହରାଇଥିଲେ।ଆହୁରି କହିଥିଲେ ଯେ ଓଡ଼ିଶାରେ ଏସ ଆଇ ଆର ଆରମ୍ଭ ନେଇ୩୦ ଟି ଜିଲ୍ଲାର ୩୦ ଟି ପଞ୍ଚାୟତ ରେ ଏସଆଇଆର ର ପାଇଲଟ ପ୍ରକଳ୍ପ ଆରମ୍ଭ କରି ଦେଖିଥିଲୁ ଯେଉଁମାନେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୭.୫ ପ୍ରତିଶତ ଙ୍କ ନାମ ୨୦୨୫ ଭୋଟର ଲିଷ୍ଟ ରେ ନାହିଁ। ନିର୍ବାଚନ ପୂର୍ବରୁ ପ୍ରକାଶ ପାଉଥିବା ଚୂଡାନ୍ତ ଭୋଟର ତାଲିକାରେ ନାମ ନଥିଲେ ତୁରନ୍ତ ଆବେଦନ ମାଧ୍ୟମରେ ଯୋଡ଼ିହେବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ ନିଜ ବକ୍ତବ୍ୟ ରେ କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଠିକ ମାର୍ଗଦର୍ଶନ ଓ ସଚେତନତା ସୃଷ୍ଟି କରାଯାଉଛି।। ନୂତନ ଭୋଟର ମାନଙ୍କୁ ଅଭିନନ୍ଦନ ଜଣେଇ ଦେଶର ଭବିଷ୍ୟତ ସେମାନଙ୍କ ହାତରେ,ସମ୍ବିଧାନ ସେମାନଙ୍କୁ ଏକ ଭୋଟର କାର୍ଡ ଦେଇଛି ଯାହା କାମଧେନୁ ସଦୃଶ ,ଦେଶ ପାଇଁ ଯାହା ଦରକାର ସେମାନେ ନିରପେକ୍ଷ ମତ ଦେଇ ସାକାର କରିପାରିବେ।
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ରିତ ଋତୁରାଜ କହିଥିଲେ ନୂତନ ଭୋଟର ଙ୍କ କାନ୍ଧରେ ରାଷ୍ଟ୍ରର ଭାର ନ୍ୟସ୍ତ ହୋଇଛି ଏବଂ ଆଗକୁ ସେଇ ଗଣତନ୍ତ୍ର ର ମୂଲ୍ୟବୋଧ କୁ ପରିବଦ୍ଧତା କରିବା ପାଇଁ ଆପଣମାନେ ସମସ୍ତେ ସାରଥୀ ହେବେ।ମତଦାନକୁ କେବଳ ଏକ ଅଧିକାର ଭାବେ ସୀମିତ ନ ରଖି ଏହାକୁ କର୍ତ୍ତବ୍ୟ, ଦାୟିତ୍ୱ ଭାବେ ପରିଗଣିତ କରିବା ଉଚିତ।
ଏହି ଅବସରରେ ରାମ ମନ୍ଦିର ଛକ ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ପଦଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ନାଟକ ପରିବେଷଣ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଳୟ ତରଫରୁ ହୋଇଥିବା ରିଲସ, ସ୍ଲୋଗାନ, ପ୍ରତିଯୋଗିତା ରୁ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ ୮ଜଣ ନୂତନ ଯୁବ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।ସେହିପରି ଇସିଆଇ ପିଡବ୍ଲୁଡି ଆଇକନ କମଳାକାନ୍ତ ନାୟକ ଏବଂ ଷ୍ଟେଟ ଆଇକନ ଓ ସମାଜସେବୀ ସାଧନା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ,ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ସେହିପରି ନିର୍ବାଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖୋର୍ଦ୍ଧା, ସୁବର୍ଣ୍ଣପୁର, ମାଲକାନଗିରି, ସମ୍ବଲପୁର, ବୌଦ୍ଧ,ନୂଆପଡ଼ା,ସୁନ୍ଦରଗଡ ,ବାଲେଶ୍ଵର, କେଉଁଝର ,ଅନୁଗୁଳ, କଳାହାଣ୍ଡି ଆଦି ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଡେ଼ପୁଟି କଲେକ୍ଟର(ନିର୍ବାଚନ) ଙ୍କୁ ସମ୍ମାନିତ କରାଯାଇଥିଲା।ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ଧନ୍ୟବାଦ ଦେଇଥିଲେ।
Comments are closed.