କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦିନିକିଆ ଜାତୀୟ ଆଲୋଚନାଚକ୍ର

Share It

ଭୁବନେଶ୍ୱର : ସ୍ଥାୟୀ ବିକାଶ ଲକ୍ଷ୍ୟ ଓ କିସ୍‍: ପରିବର୍ତ୍ତନକାରୀ ଶିକ୍ଷା, ସ୍ୱେଚ୍ଛାସେବା ଓ ସମାଜ କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଶୀର୍ଷକ ଉପରେ କିସ୍‍ ରେ ଶନିବାର ଦିନିକିଆ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ବିକଶିତ ଭାରତ ପରିପ୍ରେକ୍ଷୀରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ଭାରତର ବିଭିନ୍ନ ରାଜ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରକ୍ଷାକରି ସ୍ଥାନୀୟ ସମସ୍ୟାର ମୁକାବିଲା କରୁଛନ୍ତି। ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏକ ଗତିଶୀଳ ମଡେଲ ଭାବେ ଉଭା ହୋଇଛି।

ରାଜ୍ୟ ସରକାର ଓ ଯୋଜନା ସଂଗଠନଗୁଡ଼ିକ ଏହି ଉଦ୍ଦେଶ୍ୟ ହାସଲ କରିବା ପାଇଁ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ଏବଂ ଅନ୍ୟାନ୍ୟସ୍ତରରେ ସ୍ଥାନୀୟ ଲକ୍ଷ୍ୟ ସ୍ଥିର କରିବା ସହ ସେ ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ଭାରତର ସ୍ଥାନୀୟ ବିକାଶକୁ ବିଶ୍ୱ ପ୍ରଶଂସା କରି ଆସୁଛି ବୋଲି ସେ କହିଥିଲେ। ଏହି ଅବସରରେ ସେ କହିଲେ, ମୁଁ ତିନି ଥର ଓଡ଼ିଶା ଗସ୍ତରେ ଆସିଛି, ସେଥିରୁ ଆଜିର ଗସ୍ତ ସ୍ମରଣୀୟ ହୋଇରହିବ। କିସ୍‍ ଜରିଆରେ ଶିକ୍ଷା ମାଧ୍ୟମରେ ଓଡ଼ିଶା ରାଜ୍ୟ ତଥା ଭାରତର ଜନଜାତିଙ୍କ ଜୀବନରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇପାରିଛି ତାହା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଓ ନିଷ୍ଠା ସୂଚୀତ କରୁଛି ବୋଲି ସେ କହିଥିଲେ। ଏଥିପାଇଁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟତମ ଅତିଥି, ନିତି ଆୟୋଗ ସଦସ୍ୟ ଅରବିନ୍ଦ ଭିର୍ମାନୀ ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଏହି ପ୍ରୟାସରେ ବ୍ୟକ୍ତି, ଅନୁଷ୍ଠାନ, ସମାଜ ଓ ରାଜ୍ୟ ସମସ୍ତଙ୍କ ଭୂମିକା ରହିଛି। ସେ କହିଲେ, ବିକଶିତ ଭାରତ ଗଠନରେ ତିନୋଟି ପ୍ରମୁଖ ଉପାଦାନ ଜରୁରୀ। ସେଗୁଡିକ ହେଲା, ମୌଳିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି। ଏଗୁଡ଼ିକ ପ୍ରତ୍ୟେକ ପରସ୍ପର ସହିତ ଜଡ଼ିତ। ମୌଳିକ ଶିକ୍ଷା କେବଳ ଅନ୍ତର୍ଭୁକ୍ତି ପାଇଁ ନୁହେଁ ବରଂ ଦକ୍ଷତା ହାସଲ ଓ ନିଯୁକ୍ତି ସୁଯୋଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ଗୁଣାତ୍ମକ ଓ ସାମଗ୍ରିକ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୂତନ ଶିକ୍ଷାନୀତିର ଗୁରୁତ୍ୱ ଉପରେ ଆଲୋକପାତ କରି ସେ ଗୁଣାତ୍ମକ ମୌଳିକ ଶିକ୍ଷା ଏବଂ ଦକ୍ଷତା ବିକାଶର ଆବଶ୍ୟକତା ଉପରେ ଜୋର୍‍ ଦେଇଥିଲେ।

ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ. ପ୍ରଭାକର ସାହୁ କହିଲେ, କିସ୍‍ ହେଉଛି ସ୍ଥାୟୀ ବିକାଶ ମଡେଲର ପ୍ରତିଫଳନ। କିସ୍‍ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି । ଆମ ପାଖରେ ଥିବା ଅନୁକୂଳ ଜନସଂଖ୍ୟା ବିକଶିତ ଭାରତ ପାଇଁ ମୂଳଦୁଆ ପ୍ରସ୍ତୁତ କରେ ଏବଂ କିସ୍‍ ପ୍ରଭାବଶାଳୀ ଭାବରେ ଏହି ଲକ୍ଷ୍ୟରେ ଯୋଗଦାନ ଦେଉଛି । ସ୍ଥାୟୀ ବିକାଶ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ଦକ୍ଷତା ବିକାଶ ଆଦି ଅନ୍ତର୍ଭୁକ୍ତ। କିଟ୍‍ ଓ କିସ୍‍ ସକ୍ରିୟ ଭାବରେ ଏହି ଉଦ୍ଦେଶ୍ୟଗୁଡ଼ିକୁ ଅନୁସରଣ କରିଆସୁଛି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁଏନଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର; ୟୁଏନଏଫପିଏ ଓଡ଼ିଶା ମୁଖ୍ୟ ଡ ମହମ୍ମଦ ନଦୀମ୍ ନୁର; ଫ୍ରାନସର ଇଣ୍ଟରନ୍ୟାସନାଲ ଏକଜିକ୍ୟୁଟିଭ ସ୍କୁଲର ସହ-ପ୍ରତିଷ୍ଠାତା ଓ ସଭାପତି ଡ. ସୌଲା କିରିଆକୋସ୍‌; ପୂର୍ବତନ ଜାତିସଂଘ ପ୍ରାକଟିସନର ଆରୁଷି ରାୟ; କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା ପ୍ରମୁଖ ଜାତିସଂଘ ବିକାଶ ଲକ୍ଷ୍ୟ ଓ ସ୍ଥାନୀୟ ସ୍ତରରେ ଏହାର କାର୍ଯ୍ୟାକାରିତା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।


Share It

Comments are closed.