ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଚିନ୍ତନ ଶିବିର ଉଦଘାଟିତଉଦଘାଟନ କଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ

Share It


ଭୁବନେଶ୍ୱର, ୧୯.୦୧.୨୦୨୬ : “ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ, “ସୁସ୍ଥ ଓଡ଼ିଶା – ବିକଶିତ ଓଡ଼ିଶା” ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ସଂକଳ୍ପ ପୂରଣ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ସମସ୍ତଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓଡ଼ିଶା ସରକାରଙ୍କ ପାଇଁ ନିରନ୍ତର ପ୍ରାଥମିକତା ହୋଇଆସିଛି” ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା (PM-JAY) ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଉପରେ ଚିନ୍ତନ ଶିବିରର ଉଦଘାଟନ କରି ନିଜ ବକ୍ତବ୍ୟ ରେ କହିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ।
ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆୟୁଷ ଚିକିତ୍ସା ପ୍ୟାକେଜଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଉପରେ ବିଚାର କରାଯିବା ଉଚିତ, ଯାହା ଦ୍ଵାରା ଆଧୁନିକ ଔଷଧ ସହିତ ସମନ୍ୱୟ ସ୍ଥାପନ କରାଯାଇପାରିବ । ଏହି ସାମଗ୍ରିକ ଆଭିମୁଖ୍ୟ ଆୟୁଷ ଇକୋସିଷ୍ଟମକୁ ସଶକ୍ତ କରିବ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରକୁ ବିସ୍ତାର କରିବ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।
ଏହି ଦୁଇ ଦିନିଆ ଚିନ୍ତନ ଶିବିର ସମଗ୍ର ଦେଶରୁ ଅନେକ ପଲିସି ମେକର, ସ୍ୱାସ୍ଥ୍ୟ ପ୍ରଶାସକ ଏବଂ ବିଷୟ ବିଶେଷଜ୍ଞମାନଙ୍କୁ ଏକ ଚିନ୍ତନ ମଞ୍ଚରେ ଏକତ୍ର କରିଛି ଯାହା ଦ୍ୱାରା ନବସୃଜନ, ଡିଜିଟାଲ ସମନ୍ୱୟ ଏବଂ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଆୟୁଷ୍ମାନ ଭାରତକୁ ଆହୁରି ମଜବୁତ କରିବା ଉପରେ ବିଚାର ବିମର୍ଶ କରାଯିବ।
ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଅସ୍ଵଥି ଏସ୍. ସ୍ୱାଗତ ଭାଷଣ ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ସୁନିଲ କୁମାର ବର୍ଣ୍ଣୱାଲ୍ ଚିନ୍ତନ ଶିବିରର ଉଦ୍ଦେଶ୍ୟ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଲାଭ ପ୍ୟାକେଜ୍ ମାନୁଆଲ୍- ଦ୍ଵିତୀୟ ଭାଗ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବେଷ୍ଟ ପ୍ରାକ୍ଟିସ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହା ସହ ଭାଷିନୀ , ଭାରତୀୟ ବିଜ୍ଞାନ ସଂସ୍ଥାନ , ବେଙ୍ଗାଲୁରୁ ଏବଂ ରାଷ୍ଟ୍ରୀୟ ଆକ୍ରେଡିଟେସନ୍ ବୋର୍ଡ୍ ଫର୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଶିବିରରେ ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କର ସ୍ଵାସ୍ଥ୍ୟ ସଚିବ, ବିଶେଷଜ୍ଞ ପ୍ରତିନିଧିାମାନେ ଯୋଗ ଦେଇଛନ୍ତି । ଏହି ଚିନ୍ତନ ଶିବିରରେ ସମୁଦାୟ ୬ ଟି ଅଧିବେଶନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦଘାଟନୀ ଅବେଶନରେ ସ୍ୱାସ୍ଥ୍ୟ ସେବା ସୁବିଧା ପ୍ୟାକେଜ ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶ୍ରେଷ୍ଠ ପ୍ରାମାଣିତ ପଦ୍ଧତି ସମ୍ବଳିତ ପୁସ୍ତିକା ଉନ୍ମୋଚନ ହୋଇଥିଲା ।
ଏହି ଚିନ୍ତନ ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ୨୦୧୮ ପରଠାରୁ ଆୟୁଷ୍ମାନ ଭାରତ ଅଧୀନରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଲ୍ଲେଖ କରିବା ଏବଂ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ, କୁତ୍ରିମ ବୁଦ୍ଧିମତ୍ତା-ସକ୍ଷମ ତଥ୍ୟ ପରିଚାଳନା ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ହାସଲ କରାଯାଇଥିବା ସ୍ୱଚ୍ଛତା, ଦକ୍ଷତା ଏବଂ ସୁଗମତା ଉନ୍ନତି ବିଷୟରେ ଆଲୋଚନା କରି ଜନକଲ୍ୟାଣ କାରୀ ପଦକ୍ଷେପ ଗ୍ରହଣ କରିବା ।
ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଯୋଜନା ରେ ରାଜ୍ୟ ର ୩.୫୨ କୋଟି ଲୋକ ସାମିଲ ଅଛନ୍ତି । ଏଥି ନିମନ୍ତେ ୩୨ ହଜାର ସରକାରୀ ଏବଂ ବେସରକାରୀ ମେଡିକାଲ ସୁଚିଭୁକ୍ତ ଅଛନ୍ତି । ସେହିପରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୨୨.୫୨ ଲକ୍ଷ ୭୦ ବର୍ଷରୁ ଉର୍ଦ୍ଧ ବୟସ୍କ/ବୟସ୍କା ସୁବିଧା ପାଇବାକୁ ସାମିଲ ହୋଇଛନ୍ତି ।


Share It

Comments are closed.