ରାଜପଥକୁ ସୁରକ୍ଷିତ ପଥ କରିବାକୁ ସରକାର ଗୁରୁତ୍ୱ ଦିଅନ୍ତୁ
-ଓଡ଼ିଶା ୱିମେନ୍ ଇନ୍ ମିଡିଆ ପକ୍ଷରୁ ସାମ୍ବାଦିକ ସିଲା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳ
ଭୁବନେଶ୍ୱର: ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ। କିନ୍ତୁ ବର୍ତ୍ତମାନ ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି ତାହା ସମସ୍ତଙ୍କୁ ଭୟଭୀତ କରିଛି। ନିଜେ ସତର୍କତା ଅବଲମ୍ବନ କରି ମଧ୍ୟ ଅନ୍ୟର ଭୁଲ୍ ପାଇଁ ଜୀବନ ହରାଉଛନ୍ତି ଅନେକ। ଯାହାର ଦୁଃଖଦ ଉଦାହରଣ ନିକଟରେ ସାମ୍ବାଦିକା ସିଲା ପଟ୍ଟନାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ତେଣୁ ସରକାର ଓ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ବେଳେ ଆଗକୁ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପ୍ରତି ସରକାର ଗୁରୁତ୍ୱ ଦେବା ଉଚିତ୍ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ପ୍ରତିଦିନ ବିଭିନ୍ନ ରାଜପଥ ଦେଇ ଶହଶହ ଯାତ୍ରୀ ଓ ଗାଡ଼ି ଚାଳକ ଯାତାୟତ କରୁଥିବା ବେଳେ, ଯାତ୍ରୀ ସୁରକ୍ଷା କିପରି ସୁନିଶ୍ଚିତ ହେବ ସେଥିପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ନିୟମିତ ତଦାରଖ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ନିୟମ କଡ଼ାକଡ଼ି ପାଳନ ଅତ୍ୟାବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ରବିବାର ଓଡ଼ିଶା ୱିମେନ୍ ଇନ୍ ମିଡିଆ ପକ୍ଷରୁ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକା ସିଲା ପଟ୍ଟନାୟକଙ୍କ ସ୍ମୃତିସଭାରେ ଅତିଥିମାନେ ସିଲାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଭଳି ମିଷ୍ଟଭାଷୀ, ନିର୍ଭୀକ ଓ ଦୃଢ଼ମନା ସାମ୍ବାଦିକ ସମସ୍ତ ମହିଳା ସାମ୍ବାଦିକଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। କେବଳ ସେ ଜଣେ ସାମ୍ବାଦିକା ନଥିଲେ ବରଂ ଜଣେ ଆଗଧାଡ଼ିର ସାମାଜିକ କର୍ମୀ ଥିଲେ। ସେ ‘ଅଭୟ ଫାଉଣ୍ଡେସନ୍’ ନାମକ ଏକ ସଂଗଠନ କରି ବିଭିନ୍ନ ସମୟରେ ଲୋକମାନଙ୍କୁ ସହାଯ୍ୟ ସହଯୋଗ କରିବା ସହ ସଡ଼କ ସୁରକ୍ଷା ଦିଗରେ ମଧ୍ୟ ଅନେକ ସଚେତନତା କାର୍ଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ବିଶେଷ କରି ମହାମାରୀ କରୋନା ସମୟରେ ସେ ଅନେକ ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିଲେ। ତାଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ଅତିଥିମାନେ କହିବା ସହ ସିଲାଙ୍କର ଏକମାତ୍ର ପୁଅକୁ ସରକାରୀ ସହାୟତା ପ୍ରଦାନ ଉପରେ ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାରେ ମେୟର ସୁଲୋଚନା ଦାସ, ବିଶିଷ୍ଟ ଐତିହାସିକ, ଗବେଷକ ଡ. ଅନୀଲ ଧୀର, ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ, ଓଏମଡବ୍ଲ୍ୟୁର ସେକ୍ରେଟାରୀ ମିନତୀ ସିଂହା, ଶାଦଦା ଲାହାଙ୍ଗିର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଏକମାତ୍ର ପୁଅକୁ ଭଗବାନ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଏହା ସହ ସିଲା ଏବଂ ତାଙ୍କ ବାନ୍ଧବୀଙ୍କ ପରିବାରକୁ ମଧ୍ୟ ସରକାରୀ ସହାୟତା ପ୍ରଦାନ କରାଯିବା ଉଚିତ ବୋଲି ସଭାରେ ମତପ୍ରକାଶ ପାଇଛି। ସଭାରେ ସିଲାଙ୍କ ଭାଇ, ଭଉଣୀଙ୍କ ସମେତ ଓଡବ୍ଲ୍ୟୁଏମ୍ର ଓଡବ୍ଲ୍ୟୁଏମ୍ର ସଭ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇ ସିଲାଙ୍କ ସହ ବିତାଇଥିବା ସ୍ମୃତିକୁ ମନେପକାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ପ୍ରାରମ୍ଭରେ ଶାରଦା ଲାହାଙ୍ଗିର ସ୍ୱାଗତଭାଷଣ ଦେଇଥିବା ବେଳେ ଶେଷରେ ମିନତୀ ସିଂହା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.