ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନକୁ ଓଲ୍ଷ୍ଟାର ସମର୍ଥନ
ଭୁବନେଶ୍ୱର : – ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଚାଲୁଥିବା ଅହୋରାତ୍ର ଧାରଣା ଚାଲୁରହିଛି । ପ୍ରାଥମିକ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଏଲିମେଣ୍ଟାରୀ ସ୍ତରର ହୋଇଥିବାରୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ଏହି ଆନ୍ଦୋଳନକୁ ଦୃଢ଼ ସମର୍ଥନ କରୁଅଛୁ । ଗ୍ରାମାଞ୍ଚଳରେ ଗଢ଼଼ି ଉଠିଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତ ନ ହେବାରୁ ବିଦ୍ୟାଳୟରେ ନୈରାଶ୍ୟଜନକ ଅବସ୍ଥା ସୃଷ୍ଟି ହେବାରୁ ଛାତ୍ରଛାତ୍ରୀମାନେ ନାମ ଲେଖାଉ ନାହାଁନ୍ତି ଯାହା ଫଳ ସ୍ୱରୂପ ଛାତ୍ରସଂଖ୍ୟା ଆଳରେ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଦୂର ଦୂରାନ୍ତ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଡ୍ରପଆଉଟ ସଂଖ୍ୟା ବଢ଼ିବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ୁଥିବା ବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି ।
ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ମଧ୍ୟରେ ୪୨୦୦ ଗ୍ରେଡ଼ ପେ, ଛଅଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ପ୍ରମୂଖ ଦାବି ରହିଛି । ତତ୍ ସହିତ ରାଜ୍ୟ ସରକାର ସମସ୍ତ ବିଭାଗରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଥିବା ବେଳେ, ପ୍ରାଥମିକ ଶିକ୍ଷା ବିଭାଗ ଏଥିରୁ ବାଦ୍ ପଡ଼ିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସବୁଠାରୁ ପରିତାପର ବିଷୟ ଏହିକି ଯେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଜଣେ କିମ୍ବା ଦୁଇ ଜଣ ଶିକ୍ଷକରେ କେବଳ ଧର୍ମକୁ ଆଖିଠାର ନ୍ୟାୟରେ ଚାଲୁଅଛି । ରାଜ୍ୟର ବର୍ତ୍ତମାନର ଜନପ୍ରିୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ଏଲିମେଣ୍ଟାରୀସ୍ତରରେ ସମସ୍ତ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି କରାଯିବାକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ଶ୍ରୀ ସୁକାନ୍ତ କୁମାର ବେହେରା ଦୃଢ଼ ଦାବି କରିଛନ୍ତି ।
ରାଜ୍ୟ ସରକାର ଯଦି ପ୍ରାଥମିକ ଶିକ୍ଷକ ମହାସଂଘର ଦାବିଗୁଡ଼ିକୁ ତୁରନ୍ତ ବିଚାର ନ କରନ୍ତି, ତେବେ ପ୍ରାଥମିକ ଶିକ୍ଷକ ମହାସଂଘ ଧାରଣାରେ ଓଲ୍ଷ୍ଟା ସାମିଲ ହେବ । ପ୍ରାଥମିକ ଶିକ୍ଷକମାନଙ୍କ ସ୍ୱାଭିମାନ, ଛାତ୍ରଛାତ୍ରୀମାନଙ୍କ ଅଧିକାର ତଥା ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟର ପ୍ରାଥମିକ ଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଗଣ ସଂଗଠନକୁ ଆନ୍ଦୋଳନରେ ସାମିଲ ହେବାପାଇଁ ଉଦ୍ୟମ କରିବ ବୋଲି ସଭାପତି – ଶ୍ରୀ ବିକ୍ରମ କୁମାର ଦାସ, ସାଧାରଣ ସଂପାଦକ – ଶ୍ରୀ ସୁକାନ୍ତ କୁମାର ବେହେରା, ଯୁଗ୍ମ ସାଧାରଣ ସଂପାଦକ – ଶ୍ରୀ ସୁଦର୍ଶନ ସ୍ୱାଇଁ, କୋଷାଧ୍ୟକ୍ଷ – ଶ୍ରୀ ଯୁଧିଷ୍ଠିର ପ୍ରଧାନ,ଏଡ଼ିଟର – ଶ୍ରୀ ସୁଶାନ୍ତ ପ୍ରଧାନ ପ୍ରଭୃତି ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
Comments are closed.